ପୂର୍ଣ୍ଣଶ୍ରୀ ରାଉତ ଓଡ଼ିଶୀ ନୃତ୍ୟର ଜଣେ ପ୍ରଖ୍ୟାତ ପଟ୍ଟୟସୀ ଭାବରେ ପରିଚିତ। ପୂଜାରିଣୀ ଭଳି ସେ ଓଡ଼ିଶୀର ଉତଥାନ ପାଇଁ ନିଜର ତନ, ମନ ଓ ଧନକୁ ସଂପୂର୍ଣ୍ଣ ଭାବେ ସମର୍ପଣ କରି ଦେଇଛନ୍ତି। ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଶା ବାହାରେ ଏହି ନୃତ୍ୟର ପ୍ରଚାର, ପ୍ରସାର କରିବାରେ ପୂର୍ଣ୍ଣଶ୍ରୀ ସଦାସର୍ବଦା ସାଧନାରତ ଅଛନ୍ତି। ପୂର୍ଣ୍ଣଶ୍ରୀ ଙ୍କର ଓଡ଼ିଶୀ ଯାତ୍ରା ମାତ୍ର ୬ ବର୍ଷ ବୟସରୁ ଆରମ୍ଭ ହୋଇଥିଲା। ସେ ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକର ସବୁଠୁ ପୁରୁଖା ଏବଂ ପ୍ରମୁଖ ପରିବେଷଣ କଳା ଅନୁଷ୍ଠାନ କଳା ବିକାଶ କେନ୍ଦ୍ରରେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଓଡ଼ିଶାର ଚାରିଜଣ ସୁନାମଧନ୍ୟ ନୃତ୍ୟଗୁରୁ ଯଥା ରମଣୀ ରଂଜନ ଜେନା, ରଘୁ ଦତ୍ତ, କେଳୁଚରଣ ମହାପାତ୍ର ଏବଂ ଶଙ୍କର ବେହେରା ତାଙ୍କର ଶିକ୍ଷକ ଥିଲେ। ତୁଳସୀ ଦୁଇ ପତ୍ରରୁ ବସିଲା ପରି ପୂର୍ଣ୍ଣଶ୍ରୀ ଖୁବ କମ ସମୟ ମଧ୍ୟରେ ନୃତ୍ୟ କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭା ଏବଂ ଅଭୁତପୂର୍ବ ପାରଦର୍ଶିତାର ପରିଚୟ ପ୍ରଦାନ କରି ଗୁରୁ ମାନଙ୍କୁ ଚମତ୍କୃତ କରିଦେଇଥିଲେ।









