ରାଇରଙ୍ଗପୁର ସହରସ୍ତ ଛଉପଡିଆ ଠାରେ ବାମନଘାଟୀ ଛଉନୃତ୍ୟ ପ୍ରତିଷ୍ଠାନର ୪୦ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି |ଏଥିରେ ମୁଖ୍ୟଅତିଥି ରୂପେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ,ସମ୍ପାଦକ ଦୁଷ୍ମନ୍ତ କୁମାର ବସା,ଉପସଭାପତି ଦ୍ବାରିକାନାଥ ମହାନ୍ତ,ଉପଦେଷ୍ଟା ବିଜୟ କୁମାର ରାମ,ବାମନଘାଟୀ ଛଉନୃତ୍ୟ ପ୍ରତିଷ୍ଠାନର ସମ୍ପାଦକ ସ୍ବର୍ଗୀୟ ଗିରିଶଚନ୍ଦ୍ର ମହାନ୍ତଙ୍କ ଝିଅ ଅବନ୍ତୀ ମହାନ୍ତ ଓ ଛଉ ନୃତ୍ୟଗୁରୁ ତ୍ରିଲୋଚନ ମହାନ୍ତ ପ୍ରମୁଖ ଉପସ୍ଥିତଥିଲେ |ଲଳିତ କୁମାର ମହାନ୍ତ ସଭା ପରିଚାଳନା କରିଥିଲେ |ସମ୍ପାଦକ ଦୁଷ୍ମନ୍ତ କୁମାର ବସା ସମ୍ପାଦକୀୟ ବକ୍ତବ୍ୟ ଦେଇଥିଲେ |

ମୁଖ୍ୟଅତିଥି ବକ୍ତବ୍ୟ ଦେବାକୁ ଯାଇ କହିଲେ ଷଢେଇକଳା -ଖରସୁଆଁ ଛଉନୃତ୍ୟ ଓ ମୟୂରଭଞ୍ଜ ଛଉନୃତ୍ୟ ମଧ୍ୟରେ ତଫାତ୍ ରହିଛି |ଏହି ବାମନଘାଟୀ ଅଞ୍ଚଳରେ ଏକ ଛଉନୃତ୍ୟ ଶିକ୍ଷାକେନ୍ଦ୍ର ହେବା ଦରକାର |ଯାହାଫଳରେ ଛଉ କଳାକାର ଆହୁରି ସୃଷ୍ଟି ହୋଇପାରିବେ |ଛଉନୃତ୍ୟରେ ପୌରାଣିକ କଥାବସ୍ତୁ ଦେଖିଥାଉ |ଉପଦେଷ୍ଟା ବିଜୟ ରାମ ଧନ୍ୟବାଦ ଅର୍ପଣ କରିଥିଲେ |ଗତ ଦୁଇଦିନ ଧରି ହୋଇଥିବା ଛଉନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ଭାବେ ରେଙ୍ଗାଳବେଡା ଛଉନୃତ୍ୟ ପ୍ରତିଷ୍ଠାନ,ଦ୍ବିତୀୟ ରୂପେ ଭଞ୍ଜଭୂମି ଛଉନୃତ୍ୟ ପ୍ରତିଷ୍ଠାନ,ତୃତୀୟ ଭାବେ ବାଦଡା ଛଉନୃତ୍ୟ ପ୍ରତିଷ୍ଠାନ,ଚତୁର୍ଥ ରୂପେ ଜେ.ପି.ଏମ୍ ଛଉନୃତ୍ୟ ପ୍ରତିଷ୍ଠାନ ଓ ପଞ୍ଚମ ଭାବେ ବାମନୀ ପାହାଡ ଛଉନୃତ୍ୟ ପ୍ରତିଷ୍ଠାନ ମୁଖ୍ୟଅତିଥି ଠାରୁ ମାନପତ୍ର ଓ ଉତ୍ତରୀୟ ଦେଇ ପୁରସ୍କୃତ କରିଥିଲେ |

ଏହି ଅବସରରେ ନୃତ୍ୟଗୁରୁ ତ୍ରିଲୋଚନ ମହାନ୍ତ ଓ ସମ୍ପାଦକ ଦୁଷ୍ମନ୍ତ କୁମାର ବସାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା |ତାପରେ ଲୋକପ୍ରିୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଠାରେ ଝୁମର,ଷଢେଇକଳା ଛଉ ଓ ପୁରୁଳିଆ ଛଉନୃତ୍ୟ ପରିବେଷଣ କରାଯାଇଥିଲା |ଏହି ମହାନ ଲୋକପ୍ରିୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାପାଇଁ ରାଇରଙ୍ଗପୁର ତଥା ପାଖପାଖ ଅଞ୍ଚଳରୁ ଲୋକେ ପ୍ରବଳ ଭିଡ ଜମାଇଥିଲେ |










