Search
Close this search box.

ଭିସା ଆବେଦନକାରୀଙ୍କ ପାଇଁ ଭୁବନେଶ୍ବରରେ ଡାକ୍ତରୀ ପରୀକ୍ଷା ସୁବିଧା ଆରମ୍ଭକୁ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସ୍ଵାଗତ*

*ଭିସା ଆବେଦନକାରୀଙ୍କ ପାଇଁ ଭୁବନେଶ୍ବରରେ ଡାକ୍ତରୀ ପରୀକ୍ଷା ସୁବିଧା ଆରମ୍ଭକୁ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସ୍ଵାଗତ*

*ଜେନେକ୍ସ ଡାଇଗ୍ନୋଷ୍ଟିକସ ପରୀକ୍ଷା କେନ୍ଦ୍ର ଭାବରେ ମନୋନୀତ*

ଭୁବନେଶ୍ବର/ ବ୍ରିସବେନ ତା ୧୭. ୦୬.ରିଖ

ଅଷ୍ଟ୍ରେଲିଆ ଭ୍ରମଣ ପାଇଁ ଭିସା ଆବେଦନକାରୀମାନଙ୍କର ଭୁବନେଶ୍ୱର ଠାରେ ଡାକ୍ତରୀ ପରୀକ୍ଷା ସୁଯୋଗ ଆରମ୍ଭ କରିବାରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ. ) ନିକଟରେ ସଫଳ ହୋଇଥିବା ଜଣାଯାଇଛି। ବିଶେଷଜ୍ଞମାନଙ୍କ ମତରେ ଏହା ଓରିଓଜର ଏକ ବହୁତ ବଡ଼ ଉପଲବ୍ଧି । ଏହା ପୂର୍ବରୁ ବରିଷ୍ଠ ନାଗରିକଙ୍କ ସମେତ ଅଷ୍ଟ୍ରେଲିଆ ଯିବାକୁ ଥିବା ଓଡ଼ିଶାର ଭିସା ଆବେଦନକାରୀ ମାନେ ବାଧ୍ୟତାମୂଳକ ଡାକ୍ତରୀ ପରୀକ୍ଷା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିଲେ। ଓରିଓଜର ନେତୃବର୍ଗ ଦୀର୍ଘଦିନ ଧରି ଏଥିପାଇଁ ଭୁବନେଶ୍ବରର ଏକ କ୍ଲିନିକକୁ ଚିହ୍ନଟ କରିବାକୁ ଅଷ୍ଟ୍ରେଲିଆ ସରକାରଙ୍କୁ ନିବେଦନ କରି ଆସୁଥିଲେ। ଓରିଓଜର କ୍ରମାଗତ ଆକୁଳ ନିବେଦନକୁ ବିଚାରକୁ ନେଇ ଅଷ୍ଟ୍ରେଲିଆର ସାମ୍ପ୍ରତିକ ଇମିଗ୍ରେସନ ଓ ନାଗରିକତ୍ୱ ମନ୍ତ୍ରୀ ଟୋନି ଵର୍କ ଭୁବନେଶ୍ବରଠାରେ ଅଷ୍ଟ୍ରେଲିୟ ଡାକ୍ତରୀ ପ୍ୟାନେଲର ପୁନଃ ସ୍ଥାପନା କରିବା ସମ୍ବନ୍ଧୀୟ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୀର୍ଘ ଦୁଇମାସ ଧରି ନାନା ପ୍ରକାରର ନିରପେକ୍ଷ ତଦନ୍ତ ଓ ଯାଞ୍ଚ ସମ୍ପନ୍ନ କରାଯିବା ପରେ ଅଷ୍ଟ୍ରେଲିଆର ଇମିଗ୍ରେସନ ଓ ନାଗରିକତ୍ୱ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟନୀତି ଓ ପ୍ରତିଶ୍ରୁତି ଶାଖା ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଅବସ୍ଥିତ
ଜେନେକ୍ସ ଡାଇଗ୍ନୋଷ୍ଟିକସକୁ ଅଷ୍ଟ୍ରେଲିୟ ଭିସା ପାଇଁ ପ୍ୟାନେଲ ସେବା ପ୍ରଦାନ କରିବାକୁ ସୁପାରିଶ କରିଥିଲେ। ଏହି ସୁପାରିଶ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାନ୍ୟବର ମନ୍ତ୍ରୀ ଟୋନି ଵର୍କ ଭାରତରେ ମହଯୁଦ ଥିବା ଅଷ୍ଟ୍ରେଲିଆର ପ୍ୟାନେଲ ତାଲିକାରେ ଭୁବନେଶ୍ବରର ଜେନେକ୍ସକୁ ଗ୍ରହଣ କରିବା ପାଇଁ ନିକଟରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏବେଠାରୁ ଅଷ୍ଟ୍ରେଲିଆକୁ ନିଜର ପରିବାର ସହିତ ବିତାଇବାକୁ ଯାଉଥିବା ଓଡ଼ିଶାବାସୀ ଅନ୍ୟ ରାଜ୍ୟକୁ ନଯାଇ ଭୁବନେଶ୍ବର ଜେନେକ୍ସ ଡାଇଗ୍ନୋଷ୍ଟିକସ ଠାରେ ହିଁ ଭିସା ପାଇଁ ଅତ୍ୟାବଶ୍ୟକ ଡାକ୍ତରୀ ପରୀକ୍ଷାର ସୁବିଧା ପାଇ ପାରିବେ ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ।

ଏକ ସଂଯୁକ୍ତ ବିବୃତିରେ ଓରିଓଜର ସଭାପତି ଡଃ. ମନୋଜ ନାୟକ ଏବଂ ଉପ-ସଭାପତି ହର ପାତ୍ର ଅଷ୍ଟ୍ରେଲିଆ ସରକାରଙ୍କର ଏହି ଐତିହାସିକ ନିଷ୍ପତ୍ତିକୁ ହାର୍ଦ୍ଦିକ ସ୍ଵାଗତ ଜଣାଇଛନ୍ତି। ଦୀର୍ଘ ଅଢ଼େଇ ବର୍ଷ ଧରି ଅଷ୍ଟ୍ରେଲିଆର ଦୁଇ ଇମିଗ୍ରେସନ ମନ୍ତ୍ରୀ ଆଣ୍ଡ୍ରିଉ ଗିଲସ ଓ ଟୋନି ଵର୍କଙ୍କ ସହିତ ଲଗାତାର ଭାବରେ ଚର୍ଚ୍ଚା ଆଲୋଚନା କରାଯିବା ଏବଂ ନିରନ୍ତର କ୍ରମେ ପ୍ରବର୍ତ୍ତା ଯିବା ଫଳରେ ଆଜିର ଅନନ୍ୟ ଓ ଅସାଧାରଣ ସଫଳତା ହାସଲ କରାଯାଇଥିବାରୁ ସେମାନେ ଖୁବ ସନ୍ତୋଷ ପ୍ରକାଶ କରିଛନ୍ତି। ଓଡ଼ିଆ ଜନସାଧାରଣଙ୍କ ପାଇଁ ଭୁବନେଶ୍ବର ସ୍ଥିତ ଜେନେକ୍ସରେ ପରୀକ୍ଷା ନିରୀକ୍ଷା କରିବା ସୁବିଧାପ୍ରଦ ହେବା ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମ ବଙ୍ଗର ଭିସା ପ୍ରାର୍ଥୀ ମାନଙ୍କ ପାଇଁ ମଧ୍ୟ ଜେନେକ୍ସ ଏକ ଫଳପ୍ରଦ କେନ୍ଦ୍ର ବନିବା ନିଶ୍ଚିତ ବୋଲି ସେମାନେ ଆସ୍ଥା ପ୍ରକଟ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୦ ରୁ ୨୦୧୦ ମସିହା ପର୍ଯ୍ୟନ୍ତ କଟକର ଏକ ଛୋଟ କ୍ଲିନିକରେ ଅଷ୍ଟ୍ରେଲିଆର ଭିସା ଆବେଦନକାରୀମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଉଥିଲା। କିନ୍ତୁ ସେଠାରେ ଅତ୍ୟାଧୁନିକ ବୈଷୟିକ ବନ୍ଦୋବସ୍ତ ମହଜୁଦ ନଥିବାରୁ ୨୦୧୦ ମସିହାରେ ଏହାକୁ ବନ୍ଦ କରିଦିଆଯାଇଥିଲା। କଟକ କ୍ଲିନିକ ବନ୍ଦ ହୋଇଯିବା ପରେ ଭିସା ପାଇଁ ଇଚ୍ଛୁକ ଓଡ଼ିଶା ନିବାସୀ ଅଷ୍ଟ୍ରେଲିଆ ଇମିଗ୍ରେସନ ବିଭାଗ ଦ୍ଵାରା ମନୋନୀତ କୋଲକାତା, ହାଇଦ୍ରାବାଦ ଏବଂ ଅନ୍ୟାନ୍ୟ ନଗରୀରେ ସ୍ଥିତ ଡାକ୍ତରୀ କେନ୍ଦ୍ରଗୁଡ଼ିକୁ ପରୀକ୍ଷା ପାଇଁ ଯାଉଥିଲେ।

ଭୁବନେଶ୍ବରଠାରେ ଅଷ୍ଟ୍ରେଲିଆ ଭିସା ଆବେଦନକାରୀମାନଙ୍କ ପାଇଁ ଡାକ୍ତରୀ ପରୀକ୍ଷା କେନ୍ଦ୍ର ସ୍ଥାପନା କରାଯିବା ଓରିଓଜର ବର୍ତ୍ତମାନ କାର୍ଯ୍ୟକାରୀ କମିଟିର ସର୍ବାଧିକ ପ୍ରାଥମିକତା ଥିଲା ବୋଲି ଡଃ. ମନୋଜ ନାୟକ ଉଲ୍ଲେଖ କରିଛନ୍ତି। ଏହାର କାର୍ଯ୍ୟାନ୍ୱୟନ ଲୋକଲୋଚନରେ ଓରିଓଜର ଖାତିର କୁ ଯଥେଷ୍ଟ ପରିମାଣରେ ବୃଦ୍ଧି କରିବା ସାଙ୍ଗକୁ ଅଷ୍ଟ୍ରେଲିଆର ବହୁବିଧ ସାଂସ୍କୃତିକ ଢାଞ୍ଚାକୁ ମଜଭୁତ କରିବା ନେଇ ଓରିଓଜର ବଳିଷ୍ଠ ଯୋଗଦାନ ଯୋଗୁଁ, ଏକ ସାମାଜିକ ସଙ୍ଗଠନ ଭାବରେ ଏହାର ଭାବମୂର୍ତ୍ତିର ଯଥେଷ୍ଟ ପରିବର୍ଦ୍ଧନ ଘଟିଥିବା ଡଃ. ନାୟକ ସୁଚାଇଛନ୍ତି। ଅଷ୍ଟ୍ରେଲିଆ ନିବାସୀ ଓଡ଼ିଆମାନଙ୍କର ବହୁ ଦିନର ସ୍ୱପ୍ନ ସାକାର ହେଲା ବୋଲି ପ୍ରକାଶ କରି ହର ପାତ୍ର, ଭୁବନେଶ୍ବରଠାରେ ଡାକ୍ତରୀ ପରୀକ୍ଷା କେନ୍ଦ୍ର କାର୍ଯ୍ୟକ୍ଷମ ହେବା ଫଳରେ ସହସ୍ରାଧିକ ଭିସା ପ୍ରାର୍ଥୀ ବିଶେଷ ଭାବରେ ଉପକୃତ ହେବେ ବୋଲି ଦମ୍ଭ ପ୍ରକାଶ କରିଛନ୍ତି।

ଏହି ଅସାମାନ୍ୟ ସାଫଲ୍ୟ କାହାଣୀ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବନିବା ସାଙ୍ଗକୁ ବିଶ୍ଵଭରି ଓଡ଼ିଆ ସମ୍ପ୍ରଦାୟ ପାଇଁ ପ୍ରେରଣାଦାୟୀ ସ୍ଥାପିତ ହେବ ବୋଲି ଡଃ. ନାୟକ ଓ ଶ୍ରୀ ପାତ୍ର ଦୃଢ଼ ଆଶା ପୋଷଣ କରିଛନ୍ତି।ଓରିଓଜର ଏହି ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରି ଡାଇଗ୍ନୋଷ୍ଟିକସର ନିର୍ଦ୍ଦେଶକ ସୁନୀଲ କୁମାର ରାଉତ, ଅଷ୍ଟ୍ରେଲିଆ ଭିସା ଆବେଦନକାରୀମାନଙ୍କୁ ପରୀକ୍ଷା କେନ୍ଦ୍ର ତରଫରୁ ସମ୍ପୂର୍ଣ୍ଣ ଭାବେ ସହଯୋଗ ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

Leave a Comment

Read More

Verified by MonsterInsights