*ଗୁରୁଗ୍ରାମରେ ସପ୍ତମ ରଜ ମହୋତ୍ସବ ମହାସମାରୋହରେ ଆୟୋଜନ*
ଗୁରୁଗ୍ରାମ / ନୂଆଦିଲ୍ଲୀ ତା ୧୬/୦୬ ରିଖ: ଗୁରୁଗ୍ରାମଠାରେ ସପ୍ତମ ରଜ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଦୁଇଦିନିଆ ପର୍ବ ଉପଲକ୍ଷେ ଉତ୍ସବର ସ୍ଥାନ ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରକୁ ଖୁବ ସୁନ୍ଦର ଭାବରେ ସଜାଯାଇ ଏକ ଛୋଟ ଓଡ଼ିଶାର ସ୍ଵରୂପ ପ୍ରଦାନ କରାଯାଇଥିଲା। ଦେଶର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ ଭାରତୀ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି ଦିବ୍ୟ ଓ ଭବ୍ୟ ପାର୍ବଣ ଅବସରରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଓ ଉତ୍ତୁଙ୍ଗ ଐତିହ୍ଯର ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା । ରଜ ଓଡ଼ିଶାର ସବୁଠୁ ଲୋକପ୍ରିୟ ଗଣ ପର୍ବ ଭାବରେ ପରିଚିତ। ମାତୃ ଉପାସନା ପାଇଁ ଉତ୍ସର୍ଗୀକୃତ ଏହି ମହାପର୍ବ ମାଟି ମା’ ଯେତେବେଳେ ମୌସୁମୀ ଆଗମନ କାଳରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହୁଏ ସେତେବେଳେ ପାଳନ କରାଯାଇଥାଏ। ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ପ୍ରାୟ ପାଞ୍ଚ ହଜାର ପ୍ରବାସୀ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ରଜ ମିଳନକୁ କେନ୍ଦ୍ର କରି ଉଭୟ ଆୟୋଜକ ଓ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍କଣ୍ଠା, ଅସୀମ ଉତ୍ସାହ ଏବଂ ଅଦମ୍ୟ ଉଦ୍ଦୀପନା ପ୍ରକାଶ ପାଇଥିବା ପରିଲକ୍ଷିତ ହୋଇଥିଲା।
ଉପସ୍ଥିତ ବରେଣ୍ୟ ଅତିଥି ବରିଷ୍ଠ ପ୍ରଶାସକ ପ୍ରଶାନ୍ତ କୁମାର ମହାପାତ୍ର ଏବଂ ପ୍ରସିଦ୍ଧ ଚିକିତ୍ସାବିତ ଡଃ. ମୋହିତ ଗୁପ୍ତା ତାଙ୍କର ବକ୍ତବ୍ୟରେ କଳିଙ୍ଗ ଭାରତୀ ଫାଉଣ୍ଡେସନ ଓ ଏହାର ପ୍ରତିଷ୍ଠାତା ସଭାପତି ଇଞ୍ଜିନିୟର ଅକ୍ଷୟ କୁମାର ସାମଲ, ହରିୟାଣା ଏବଂ ଓଡ଼ିଶାର ମହାନ କଳା, ସଂସ୍କୃତି ଓ ଐତିହ୍ୟ ମଧ୍ୟରେ ଯେଭଳି ସମ୍ପର୍କ ଓ ସାମଞ୍ଜସ୍ୟର ସେତୁ ବାନ୍ଧିବାର ସାଧୁ ଉଦ୍ୟମ କରୁଛନ୍ତି, ତାହାର ଭୂୟସୀ ପ୍ରଶଂସା କରିଥିଲେ। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଆୟୋଜକ ଇଞ୍ଜିନିୟର ଅକ୍ଷୟ କୁମାର ସାମଲ, ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ମାନବିକତା, ସୌହାର୍ଦ୍ଦ୍ୟ ଏବଂ ଭାତୃତ୍ବର ଆଧାରରେ ସମସ୍ତଙ୍କୁ ଏକତ୍ରିତ କରିବା ରଜ ପର୍ବର ମୁଖ୍ୟ ଲକ୍ଷ୍ୟ ବୋଲି ଦର୍ଶାଇଥିଲେ। ସ୍ବର୍ଣ୍ଣାଭ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଏହି ଆୟୋଜନ ଉତ୍ସର୍ଗୀକୃତ ବୋଲି ଇଞ୍ଜିନିୟର ସାମଲ କହିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ବୈଜୟନ୍ତ ପଣ୍ଡା ଏବଂ ବାଁଶୁରୀ ସ୍ଵରାଜ ପ୍ରମୁଖ ରଜ ମହୋତ୍ସବର ସଫଳତା କାମନା କରି ପଠାଇଥିବା ବାର୍ତ୍ତା ସଭାରେ ପାଠ କରାଯାଇଥିଲା।
ଏହି ସାଂସ୍କୃତିକ କୁମ୍ଭର ମୁଖ୍ୟ ଆକର୍ଷଣ ଜାତୀୟ ଲୋକନୃତ୍ୟ ଉତ୍ସବ ଥିଲା। ଏହି ଅବସରରେ ଓଡ଼ିଶା, ହରିୟାଣା,ରାଜସ୍ଥାନ, ପଞ୍ଜାବ, ପଶ୍ଚିମ ବଙ୍ଗ ଏବଂ ଉତ୍ତର ପ୍ରଦେଶରୁ ଆସିଥିବା ୨୫୦ ରୁ ଉର୍ଦ୍ଧ୍ଵ ପାରଦର୍ଶୀ କଳାକାର, ସେମାନଙ୍କର ସୃଜନଶୀଳ ଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। କଳା ଉତ୍ସବର ଅନ୍ୟତମ ଆକର୍ଷଣ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଓ ସୁଶାନ୍ତ କୁମାର ପଣ୍ଡାଙ୍କର ସୁମଧୁର ଗାୟନ ଏବଂ ସୁଦକ୍ଷ ଉପସ୍ଥାପକ ଶ୍ରୀ କମଳଙ୍କର ସୂଚାରୁ ରୂପେ ମଞ୍ଚ ସଞ୍ଚାଳନା ଥିଲା।
ରଜ ମହୋତ୍ସବର ବିଶେଷ ସମ୍ଭାର ମଧ୍ୟରେ ପଚିଶଟି ନାନା କିସମର ସାମଗ୍ରୀର ଷ୍ଟଲ୍, ଖାଣ୍ଟି ସ୍ଵାଦିଷ୍ଟ ଓଡ଼ିଆ ଖାଦ୍ୟର ମହଜୁଦି,ରଜ ଦୋଳିର ମଜା ଲୁଟିବାର ସୁଯୋଗ, ସ୍ଵତନ୍ତ୍ର ରଜ ପାନର ଉପଲବ୍ଧି, ବିଭିନ୍ନ ପ୍ରକାର ମନୋରଞ୍ଜକ ପ୍ରତିଯୋଗିତା ଯଥା:- ରଙ୍ଗୋଲି, ଝୋଟି, କୌତୁକ ପୋଷାକ, ଚିତ୍ରାଙ୍କନ ଏବଂ ଲକି ଡ୍ର ଆଦି ଅନ୍ୟତମ ଥିଲା।
ଏହି ଉତ୍ସବରେ ଈପସିତା ଚିନାରାଙ୍କୁ ରଜ ରାଣୀ ଉପାଧିରେ ଭୂଷିତ କରାଯାଇଥିଲା। ସୁଚିସ୍ମିତା ଦାସଙ୍କୁ ରଜ କୁମାରୀ ଭାବରେ ଚୟନ କରାଯାଇଥିଲା। ବରିଷ୍ଠ ପ୍ରଶାସକ ଡଃ.ସରୋଜ କୁମାର ଜେନାଙ୍କୁ ଶ୍ରେଷ୍ଠ ଓଡ଼ିଆ ପୁଅ ପୁରସ୍କାର ପ୍ରଦାନ କରାଯାଇଥିଲା।
କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କୁ ସମ୍ମାନନୀୟ କଳିଙ୍ଗ ଭାରତୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଦଶମ ଓ ଦ୍ଵାଦଶ ଶ୍ରେଣୀର ସିବିଏସଇ ପରୀକ୍ଷାରେ ନବେ ପ୍ରତିଶତରୁ ଉର୍ଦ୍ଧ୍ଵ ଅଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଓଡ଼ିଆ ବିଦ୍ୟାର୍ଥୀମାନଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟାନ୍ୟ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରେ ଅତୁଲ୍ୟ କୁମାର ପଣ୍ଡା, ନିଗମାନନ୍ଦ ପୃଷ୍ଟି, ଅଜୟ କୁମାର ବେହେରା, ଦୀପକ କୁମାର ରଥ, ପୁଷ୍ପାଞ୍ଜଳି ବାରିକ, ନିତ୍ୟାନନ୍ଦ ରାଉତ, ପ୍ରିୟାଂଶୀ ଜେନା, ସୁଶାନ୍ତ କୁମାର ପଣ୍ଡା ଏବଂ ଲିଲି ବେହେରା ପ୍ରମୁଖ ଅନ୍ୟତମ ଥିଲେ।
ସମଗ୍ର ଆୟୋଜନକୁ ଶୃଙ୍ଖଳିତ ଭାବରେ ପରିଚାଳନା ଏବଂ ସଫଳତାର ସହିତ ସମାପନ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା କଳିଙ୍ଗ ଭାରତୀ ଫାଉଣ୍ଡେସନର ସୁଯୋଗ୍ୟ ସଙ୍ଗଠକ ମଣ୍ଡଳୀରେ, ଜାତୀୟ ସଭାପତି ଇଞ୍ଜିନିୟର ଅକ୍ଷୟ କୁମାର ସାମଲ, ପୃଷ୍ଠପୋଷକ ବୃନ୍ଦ ନନ୍ଦ ମିଶ୍ର, ଅଶୋକ କୁମାର ସେନ୍, ପ୍ରଭାସ କୁମାର ମିଶ୍ର, ଅମରେନ୍ଦ୍ର ଖଟୁଆ, ସଞ୍ଜୀବ ପାଟ୍ଟଯୋଶୀ ଏବଂ ସଦସ୍ୟ ଯଥା :- ସଞ୍ଜୟ କୁମାର ଦାସ, ସୁଧାଂଶୁ ପାଢ଼ୀ, ବିଜୟ ମିଶ୍ର, ରବି ନାରାୟଣ ସାହୁ, ସଂଗ୍ରାମ ପାଣିଗ୍ରାହୀ, ନିରଞ୍ଜନ ତ୍ରିପାଠୀ, ସନ୍ତୋଷ ରାଉତ, ଶ୍ରୀମନ୍ତ ବିଶ୍ଵାଳ, ଦେବପ୍ରିୟ ପାତ୍ର, ପ୍ରଳୟ ବାହାଲି, ଦେବାଶିଷ ଆଚାର୍ଯ୍ୟ, ସୁରେଶ ଶତପଥୀ, ଯଯାତି ପାଲ, ଦେବୀ ପଟ୍ଟନାୟକ, ସୁଶାନ୍ତ ସାହୁ, ସ୍ମୃତି ସାହୁ, ଚନ୍ଦନ ଜେନା, ପ୍ରମୋଦ କୁମାର ସାମଲ, ମହିଳା ଶାଖାର ମୁଖ୍ୟ ତନୁଶ୍ରୀ ପରିଡ଼ା, ତନଭି ବିଶ୍ଵାଳ, ବବିତା ମିଶ୍ର, ନିରୂପମା ପାଲ, ମୋନାଲିସା ପାଢୀ, ଜୟଶ୍ରୀ ଦାସ, ସସ୍ମିତା ଦାସ, ଲକ୍ଷ୍ମୀ ପଟ୍ଟନାୟକ, ରଶ୍ମି ସାମଲ, ଜୟଶ୍ରୀ ସାହୁ, ଈପସିତା ଚିନାରା କବିତା ଶର୍ମା, ଅନୀତା କର, ଲିଜା ପାତ୍ର ଓ ସସ୍ମିତା ନାୟକ ପ୍ରମୁଖ ସାମିଲ ଥିବା ଜଣାଯାଇଛି।









