*ସମ୍ପୂର୍ଣ୍ଣ ମାନବ ସୁଦୀପ ନନ୍ଦ*
*ଡ଼ଃ ସୁଦୀପ କୁମାର ନନ୍ଦ, ଆଇ.ଏ.ଏସ.(ଅବସରପ୍ରାପ୍ତ)ଙ୍କର ସ୍ମୃତି ଉଦ୍ଦେଶ୍ୟରେ*
ଡଃ ବଦ୍ରି ମହାପାତ୍ର
ଡଃ ସୁଦୀପ କୁମାର ନନ୍ଦ ଜଣେ ସମ୍ପୂର୍ଣ୍ଣ ମାନବ ଥିଲେ। ୧୯୭୮ ମସିହା ଗୁଜୁରାଟ କ୍ୟାଡ଼ରର ଆଇ.ଏ.ଏସ. ଅଧିକାରୀ, ଡ଼ଃ ନନ୍ଦଙ୍କର ଗତ ଜୁଲାଇ ମାସ ୨୬ ତାରିଖରେ ଆମେରିକାର ନିଉୟର୍କ ରାଜ୍ୟର ଇଥାକା ଠାରେ ତାଙ୍କର ଝିଅଙ୍କ ବାସଭବନରେ ୬୮ବର୍ଷ ବୟସରେ ନିଧନ ଘଟିଥିଲା। ବହୁ ସୁଗୁଣର ଅଧିକାରୀ ଡଃ ନନ୍ଦ ଏକାଧାରରେ ଜଣେ ସୁଦକ୍ଷ ପ୍ରଶାସକ,ସୁଲେଖକ, ସକ୍ରୀୟ ସମାଜସେବୀ, ସଫଳ ସଂଗଠକ, ସକ୍ଷମ କର୍ମବୀର, ସଦାଚାରୀ ମଣିଷ, ସାହସୀ ବ୍ୟକ୍ତି ଏବଂ ସର୍ବୋପରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜଣେ ସମର୍ପିତ ସେବକ ଥିଲେ। ସେ ଗୁଜୁରାଟର ପ୍ରଶାସନିକ ସେବା କ୍ଷେତ୍ରରେ ବିଭିନ୍ନ ଦାୟିତ୍ଵ ସମ୍ପନ୍ନ ପଦପଦବୀରେ କାର୍ଯ୍ୟ କରି ସାଧାରଣ ଜନତାଙ୍କ ପାଇଁ ବହୁ କଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରଣୟନ କରିବାର ଗୌରବ ଅର୍ଜନ କରିଥିଲେ। ବିଶେଷକରି ସେଠାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କର କୁଶଳ ମଙ୍ଗଳ ପାଇଁ ଶ୍ରୀ ନନ୍ଦ ସ୍ଵତନ୍ତ୍ର ଧ୍ୟାନ ଦେଇ ଆସୁଥିଲେ। ସେଥିପାଇଁ ପ୍ରବାସୀ ଓଡ଼ିଆ ମାନଙ୍କ ନିକଟରେ ସେ ବହୁ ଭାବରେ ଲୋକପ୍ରିୟ ଥିଲେ। ତାଙ୍କର ବିୟୋଗରେ ସମଗ୍ର ଗୁଜୁରାଟରେ ତାଙ୍କର ଅସଂଖ୍ୟ ବନ୍ଧୁ, ଶୁଭଚିନ୍ତକ, ପ୍ରଶଂସକ ଏବଂ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା ଖେଳି ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଈ ପଟେଲ,ପ୍ରଧାନମନ୍ତ୍ରୀ ଙ୍କର ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର (ଯାହାଙ୍କୁ ଡଃ ନନ୍ଦ ଆଦରରେ ଦାଦା ବୋଲି ସମ୍ବୋଧନ କରୁଥିଲେ) ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଡ଼ଃ ନନ୍ଦଙ୍କର ପରଲୋକ ରେ ଶୋକ ପ୍ରକାଶ କରି ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି।ଡ଼ଃ ନନ୍ଦଙ୍କ ପ୍ରଚେଷ୍ଟାରେ ଗାନ୍ଧୀ ନଗରର ଅଡାଲଜ୍ ଠାରେ ସୁନ୍ଦର, ସୁରମ୍ୟ ଓ ସୁବିସ୍ତୀର୍ଣ୍ଣ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇପାରିଛି। ଶ୍ରୀ ନନ୍ଦ ଜୀବନର ଶେଷ ପର୍ଯ୍ୟନ୍ତ ଏହି ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ରର ଅଧ୍ୟକ୍ଷ ରହିଥିଲେ।
ଡଃ ନନ୍ଦ ୧୯୫୬ ମସିହା ଫେବୃଆରୀ ୧ ତାରିଖରେ ପୁରୀ ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ସ୍ୱର୍ଗତଃ ସୁବୋଧ ନନ୍ଦ ଜଣେ ପ୍ରଖ୍ୟାତ ପ୍ରାଧ୍ୟାପକ ଏବଂ ମାତା ତିଳୋତ୍ତମା ନନ୍ଦ ଜଣେ ସୁଲେଖିକା, ସମାଜସେବୀ, ସୁନାମଧନ୍ୟ ଜ୍ୟୋତିଷ ଏବଂ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଗ୍ରଣୀ ନେତ୍ରୀ ଥିଲେ। ଶିକ୍ଷାକ୍ଷେତ୍ରରେ ଖୁବ୍ ପାରଦର୍ଶିତା ହାସଲ କରିଥିବା ଡଃ ନନ୍ଦ ପୁରୀ ଠାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ “ଗୋଲ୍ଡ ମେଡାଲ” ସହିତ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଗ୍ରାମୀଣ ଅର୍ଥନୀତିରେ ସେ ଡକ୍ଟରେଟ ମଧ୍ୟ ଲାଭ କରିଛନ୍ତି।
ବରୋଦାର ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ନିଜର ପ୍ରଶାସନିକ ଜୀବନଯାତ୍ରା ଆରମ୍ଭ କରି ଡାଙ୍ଗ, ପଞ୍ଚ ମହଲ, ବନସକଣ୍ଠ ଏବଂ ଜୁନାଗଡ଼ ଆଦି ଜିଲ୍ଲାର କଲେକ୍ଟର ଭାବରେ ଡଃ ନନ୍ଦ ଜନସାଧାରଣଙ୍କ ଜୀବନ ଧାରଣର ମାନରେ ବହୁ ଭାବରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରକଳ୍ପ ପ୍ରଣୟନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ୧୯୮୪ ମସିହାର ଜଳ ସଙ୍କଟ ଏବଂ ୧୯୮୫ -୮୬ର ଉତ୍କଟ ମରୁଡି କାଳରେ ଲୋକମାନଙ୍କର ସମସ୍ୟା ସମାଧାନ ପାଇଁ ତାଙ୍କର ବିଶେଷ ଯୋଗଦାନ ରହିଥିଲା। ୧୯୯୨ ମସିହାରେ ଦଙ୍ଗା ଯୋଗୁଁ ସୁରଟରୁ ଓଡ଼ିଆ ଶ୍ରମିକ ମାନେ ଛାଡ଼ି ଚାଲିଯିବା ପରେ ଏଠାରେ ଶିଳ୍ପାୟନ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସଙ୍କଟ ବେଳେ ଶ୍ରମିକମାନଙ୍କୁ ବୁଝାସୁଝା କରି ସ୍ଵତନ୍ତ୍ର ଟ୍ରେନ ଯୋଗେ ଓଡ଼ିଶାରୁ ପୁନର୍ବାର ସୁରଟକୁ ଫେରାଇ ଆଣିବା ନେଇ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ୧୯୯୭ ମସିହାର ବାତ୍ୟା ସମୟରେ ଆମରେଲି ଜିଲ୍ଲାରେ ଏବଂ ୨୦୦୧ ମସିହାରେ କଚ୍ଛ ଭୂମିକମ୍ପ ସମୟରେ କମ୍ୟୁନିଟି ରେଡ଼ିଓ ଦ୍ଵାରା ଯୋଗାଯୋଗ ସ୍ଥାପନ କରାଯିବା ଦିଗରେ ଡଃ ନନ୍ଦଙ୍କର ବେଶ ମହତ୍ତ୍ଵପୂର୍ଣ୍ଣ ଯୋଗଦାନ ରହିଥିଲା। କୋଭିଡ଼ ମହାମାରୀ କାଳରେ ମଧ୍ୟ ଓଡ଼ିଆ ଶ୍ରମିକ ପରିବାର ଗୁଡ଼ିକୁ ଯାତାୟାତ ସୁବିଧା ଓ ଖାଦ୍ୟପେୟ ଆଦି ବନ୍ଦୋବସ୍ତ କରିବା ଅଭିଯାନରେ ଡଃ ନନ୍ଦ ନେତୃତ୍ୱ ନେଇ ଜଣେ ସଙ୍କଟମୋଚକ ଭାବରେ ତାଙ୍କର ପାରଙ୍ଗମତା ର ପରାକାଷ୍ଠା ପ୍ରଦାନ କରିଥିଲେ। ତାଙ୍କର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ସେ ନାରୀ ଜାତିର ସଶକ୍ତିକରଣ ଓ ଜାଗରଣ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରିଥିଲେ। ଗୃହ ବିଭାଗର ଦାୟିତ୍ୱ ସହିତ ଗୁଜରାଟ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ ସେ ଅଵସର ଗ୍ରହଣ କରିଥିଲେ।ନିଜର ମାତୃପ୍ରଦେଶ ଓଡ଼ିଶା କୁ ସେ ଦୁଇ ବର୍ଷ ପାଇଁ ଡେପୁଟେସନରେ ଯାଇ ୧୯୯୦ରୁ ୯୨ ମସିହା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ନିର୍ଦ୍ଦେଶକ ଭାବରେ ସାତପଡ଼ା ଠାରେ ଡ଼ଲଫିନ ଉନ୍ନୟନ ଭଳି ଅଭିନବ ପ୍ରକଳ୍ପ ମାନ କାର୍ଯ୍ୟାନ୍ୱୟନ କରି ବେଶ ପ୍ରଶସ୍ତି ଅର୍ଜ୍ଜନ କରିଥିଲେ।୧୯୯୯ର ମହାବାତ୍ୟା ସମୟରେ ସେ ଗୁଜରାଟର ତତ୍କାଳୀନ ସ୍ଵାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତଃ ଅଶୋକ ଭଟ୍ଟ ଏବଂ ପ୍ରଧାନମନ୍ତ୍ରୀ ଙ୍କର ବର୍ତ୍ତମାନର ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ସହିତ ଓଡ଼ିଶା ଯାଇ ଗୁଜୁରାଟ ସରକାରଙ୍କର ତରଫରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ।
ଜଣେ ପୁରାପୁରି ପାରିବାରିକ ବ୍ୟକ୍ତି ଡଃ ନନ୍ଦ, ତାଙ୍କର ଦୈନଦିନ ବ୍ୟସ୍ତ ବହୁଳ କର୍ମସାରଣୀ ମଧ୍ୟରେ ବି ପରିବାର ପାଇଁ ଗୁଣାତ୍ମକ ସମୟ ବାହାର କରି ସେମାନଙ୍କ ସହିତ ହସଖୁସି ଓ ଦୁଃଖସୁଖରେ ସଦାସର୍ବଦା ସାମିଲ ହେଉଥିଲେ। ଇତିହାସ ତାଙ୍କୁ ଜଣେ ଯତ୍ନଶୀଳ ମୂରବୀ, ସ୍ନେହୀ ପିତା, ପ୍ରେରଣାଦାୟୀ ପତି ଓ ପ୍ରୋତ୍ସାହନକାରୀ ଭାଇ ଭାବରେ ମନେ ରଖିବ। ସେ ତାଙ୍କର ପତ୍ନୀ ସଂଯୁକ୍ତା ନନ୍ଦ, ପୁତ୍ର ସଲୀଳ ନନ୍ଦ ଏବଂ କନ୍ୟା ସୁନୟନା ନନ୍ଦଙ୍କୁ ଛାଡ଼ି ଯାଇଛନ୍ତି।
ଡଃ ନନ୍ଦ ଆଜି ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କର ଜୀବନ, ଦର୍ଶନ ଓ ଆଦର୍ଶ ଆଜିବି ଆମ ନିକଟରେ ମହଜୁଦ ରହିଛି। ସେ କରି ଯାଇଥିବା ସୁକର୍ମ ଏବଂ ଛାଡ଼ି ଯାଇଥିବା ସ୍ବର୍ଣ୍ଣାଭ ପଦଚିହ୍ନ ଯୁଗ ଯୁଗ ପାଇଁ ଅମର ହୋଇ ରହିବ। ଆଗାମୀ ଦିନରେ ଗୁଜୁରାଟସ୍ଥିତ ପ୍ରବାସୀ ଓଡ଼ିଆମାନଙ୍କର ସର୍ବାଙ୍ଗୀନ ଉନ୍ନୟନ ଚାଲୁ ରଖାଯିବା, ଅଡାଲଜ୍ ଜଗନ୍ନାଥ ମନ୍ଦିରର ସାମଗ୍ରିକ ବିକାଶ କରାଯିବା ଏବଂ ସାଧାରଣ ଜନତାଙ୍କର ସ୍ବାର୍ଥ ରକ୍ଷା କରାଯିବା ନେଇ ତାଙ୍କ ଦ୍ଵାରା ପ୍ରଦର୍ଶିତ ପଥ, ସ୍ଥିରୀକୃତ ମାର୍ଗଦର୍ଶନ ଏବଂ ଉପାଦେୟ ଉପଦେଶାବଳୀ, ବର୍ତ୍ତମାନ ଓ ଭବିଷ୍ୟତରେ ଆମ୍ଭମାନଙ୍କୁ ନିଶ୍ଚିତ ଭାବରେ ସଠିକ୍ ପ୍ରେରଣା ଓ ସରସ ପନ୍ଥା ଯୋଗାଇଦେବ ବୋଲି ମୁଁ ଦୃଢ଼ ଆଶା ପୋଷଣ କରୁଛି। ଡଃ ସୁଦୀପ କୁମାର ନନ୍ଦଙ୍କର ଅମର ଆତ୍ମା ଚୀର ଶାନ୍ତି ଲାଭ କରୁ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ତାଙ୍କର ପାଦ ପଦ୍ମରେ ଆଶ୍ରିତ କରନ୍ତୁ, ଏହାହିଁ ମୋର ପ୍ରାର୍ଥନା।
ମୋ – ୯୮୨୫୦୦୯୯୫୩
ମେଲ : badrimahapatra@gmail.com









