*ନଭି ମୁମ୍ବାଇରେ ରଥଯାତ୍ରାର ଭବ୍ୟ ଉତ୍ସବ ଆୟୋଜନ
*
ନଭି ମୁମ୍ବାଇ ତା ୧୦/୦୭/୨୦୨୪ରିଖ ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିର ଦ୍ଵାରା ବହୁ ଆଡମ୍ବରରେ ରଥଯାତ୍ରା ପର୍ବ ପାଳନ କରାଯାଇଥିବା ଜଣାଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା)ଦ୍ୱାରା ଆୟୋଜିତ ଏହି ଭବ୍ୟ ଉତ୍ସବକୁ କେନ୍ଦ୍ର କରି ଖାରଘରର ଗଗନପବନ ଶ୍ରୀ ଜଗନ୍ନାଥ ଧ୍ୱନିରେ ମୁଖରିତ ହେବା ସହ ପବିତ୍ର ମନ୍ତ୍ର ଉଚ୍ଚାରଣର ଗହ ଗହ ନାଦରେ ଗଗନ ପବନ ଗୁଞ୍ଜରିତ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଥିଲା। କୋଟି ବିଶ୍ୱ ବ୍ରହ୍ମାଣ୍ଡର ମହାନାୟକ ଶ୍ରୀ ଜଗନ୍ନାଥ, ତାଙ୍କର ଜ୍ୟେଷ୍ଠ ଭାଇ ଶ୍ରୀ ବଳଭଦ୍ର,କନିଷ୍ଠ ଭଗିନୀ ମା ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କୁ ଉତ୍ସର୍ଗୀକୃତ ଏହି ଶୁଭ ଉତ୍ସବ ଭବ୍ୟତା ଓ ଭକ୍ତିର ମହାସମାଗମ ଥିଲା।
ସୁନ୍ଦର, ସୁସଜ୍ଜିତ ଓ ସୁଶୋଭିତ ରଥର ସାଜସଜ୍ଜା ଓ ପିପିଲିର ଚାନ୍ଦୁଆ କାମ ଓଡ଼ିଶାର ଉନ୍ନତ ଶିଳ୍ପକଳାର ଜୀବନ୍ତ ଦୃଷ୍ଟାନ୍ତ ବହନ କରୁଥିଲା। ଓଡ଼ିଶାର ମହାନ ସାଂସ୍କୃତିକ ଓ ମହନୀୟ ଧାର୍ମିକ ପରମ୍ପରାର ନିଚ୍ଛକ ନିଦର୍ଶନ ଏହି ରଥଯାତ୍ରା ଅବସରରେ ଦେଖିବାକୁ ମିଳିଥିଲା। ରଥଯାତ୍ରା ଦିନ ବଢ଼ି ଭୋରରୁ ମନ୍ଦିର ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସାମ୍ନାରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ସେଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂସାରର ଆବାଳବୃଦ୍ଧବନିତାଙ୍କ ସହ ତାଙ୍କର ଦିବ୍ୟଲୀଳା ପରିପ୍ରକାଶ କରିବା ପାଇଁ ଶ୍ରୀ ମନ୍ଦିର ଛାଡ଼ି ରାଜରାସ୍ତାରେ ଦଣ୍ଡାୟମାନ ରଥ ଉପରକୁ ବିଜେ କରିଥିଲେ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ଯେଉଁଭଳି ଭାବେ ରଥଟିକୁ ଟାଣି ନେଉଥିଲେ, ତାହା ସଦଭାବନା ଓ ଭାଇଚାରାର ଏକ ନିଚ୍ଛକ ଓ ନିଆରା ଉଦାହରଣ ଥିଲା। ଘନ ଘନ ବର୍ଷା ସହ ଗୁଳୁଗୁଳି ଓ ଗରମ, ଭକ୍ତ ମାନଙ୍କର ଅଦମ୍ୟ ଭକ୍ତି ଭାବକୁ କୌଣସି ପ୍ରକାରରେ ଦମନ କରିପାରିନଥିଲା।
ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘର ଅଧ୍ୟକ୍ଷ ଓ ଟ୍ରଷ୍ଟି ଡ଼ଃ ଭଗବାନ ପଣ୍ଡା ରଥ ପଥରେ ସୁବର୍ଣ୍ଣ ଝାଡୁରେ ଛେରା ପହଁରା କାର୍ଯ୍ୟ ସମାପନ କରିଥିଲେ। ସନ୍ଧ୍ୟା ସମୟରେ ଚତୁର୍ଦ୍ଧା ମୂର୍ତ୍ତି ଆରୋହଣ କରିଥିବା ରାଜକୀୟ ରଥ ଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଂଚି ଥିଲା। ଏଠାରେ ରୋଷାଣୀ କରାଯାଇ ଚାରି ଠାକୁରଙ୍କୁ ରଥ ଉପରୁ ମାଉସୀ ମା’ ମନ୍ଦିରକୁ ନିଆଯାଇ ସେଠାକାର ସିଂହାସନରେ ଆସୀନ କରାଯାଇଥିଲା। ରଥଯାତ୍ରା ଉତ୍ସବର ବିଶେଷ ଆକର୍ଷଣ ଭାବେ ମାଉସୀ ମା’ ମନ୍ଦିରରେଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୀର୍ତ୍ତନର ସୁମଧୁର ସ୍ୱର ସାଙ୍ଗକୁ ମହାପ୍ରସାଦର ମହମହ ସୁଗନ୍ଧ ଶ୍ରଦ୍ଧାଳୁ ମାନଙ୍କୁ ନିବିଡ଼ ସୂତ୍ରରେ ବାନ୍ଧି ରଖିବାର ଅନୁଭୂତି ଅଲୌକିକ ଓ ଅଦ୍ଭୂତପୂର୍ବ ଥିଲା। ମୋୱା ତରଫରୁ ମହାପ୍ରଭୁଙ୍କର ଭଜନ କାର୍ଯ୍ୟକ୍ରମ ପରେ ମହାପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। ଜୁଲାଇ ୧୭ ତାରିଖ ନୀଳାଦ୍ରି ବିଜେ ପାଳନ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି।
ସମଗ୍ର ରଥଯାତ୍ରା ଉତ୍ସବକୁ ସୂଚାରୁ ରୂପେ ଆୟୋଜନ କରିବାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘର ଟ୍ରଷ୍ଟି ବୃନ୍ଦ ଯଥା ଡଃ ଭଗବାନ ପଣ୍ଡା, ବଳରାମ ପାତ୍ର, ବି.ଏସ. ପଟ୍ଟନାୟକ, ଡଃ ମନୋଜ କୁମାର ନାୟକ, ଡଃ କେତନ ଗୋଖଲେ, ବି.ସି. ଖଟୁଆ, ଜି. ଏସ. ଗିଲ, କ୍ୟାପଟେନ ଏସ୍. ପି. ରାଓ, ବିଘ୍ନରାଜ ପରିଡ଼ା, ମାଗୁଣି ରାଉତ, ପି.ଏମ୍. ମହାପାତ୍ର ତଥା ଡଃ ରବି ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ଏବଂ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉଲ୍ଲେଖଯୋଗ୍ୟ ଭୂମିକା ନିର୍ବାହ କରିଥିଲେ।









