Search
Close this search box.

ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରା ଆୟୋଜନ.

ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରା ଆୟୋଜନ

ରୋଡ଼ସ ଆଇଲ୍ୟାଣ୍ଡ ତା୧୦/୦୭/୨୦୨୪ରିଖ ଯୁକ୍ତରାଷ୍ଟ୍ର ଆମେରିକାର ସବୁଠୁ କ୍ଷୁଦ୍ର ରାଜ୍ୟ ରୋଡ଼ସ ଆଇଲ୍ୟାଣ୍ଡ ଠାରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ବୃହତ ପର୍ବ ରଥଯାତ୍ରା ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିକ ସ୍ଥିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରକୁ ଖୁବ ଭବ୍ୟ ଢଙ୍ଗରେ ସଜ୍ଜା ଯାଇଥିଲା। ଏଠାରେ ସକାଳେ ମୁଖ୍ୟ ପୂଜାରୀ ସୋମନାଥ ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ମଙ୍ଗଳ ଆରତୀ, ହୋମ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ତଥା ନୀତିକାନ୍ତି ଧାର୍ମିକ ବିଧି ଅନୁଯାୟୀ ସମ୍ପନ୍ନ କରାଯାଇଥିଲା। ରୋଡ଼ସ ଆଇଲ୍ୟାଣ୍ଡରେ ସପ୍ତମ ଥର ପାଇଁ ଅନୁଷ୍ଠିତ ହୋଉଥିବା ରଥଯାତ୍ରା ମହୋତ୍ସବକୁ କେନ୍ଦ୍ର କରି ଉପସ୍ଥିତ ଭକ୍ତଗଣଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅସୀମ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଚଳିତବର୍ଷ ଘୋଷ ଯାତ୍ରାରେ ରୋଡ଼ସ ଆଇଲ୍ୟାଣ୍ଡ ର ଶ୍ରଦ୍ଧାଳୁମାନଙ୍କ ସହିତ ସୁଦୂର ପେନସିଲଭାନିଆ, ନିୟୁଜର୍ସି, କନେକ୍ଟିକଟ ଓ ମାସାଚ୍ୟୁଟସ ଆଦି ସ୍ଥାନରୁ ବହୁ ସଂଖ୍ୟାରେ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ, ସେମାନଙ୍କର ପରିବାରବର୍ଗ ଓ ବନ୍ଧୁ ପରିଜନଙ୍କ ସହିତ ଆସି ଯୋଗ ଦେଇଥିବାର ଲକ୍ଷ୍ୟ କରାଯାଇଥିଲା। ଦିନ ସାଢେ଼ ୧୧ ଟାରେ ଭଜନ କୀର୍ତ୍ତନର ଗହଗହ ନାଦ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ତଥା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଘୋର ଘର୍ଗର ସ୍ୱର ଦ୍ୱାରା ଗଗନ ପବନ ପ୍ରକମ୍ପିତ ହେବା ମଧ୍ୟରେ ଚାରି ଠାକୁରଙ୍କର ଧାଡି ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବା ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସେବାୟତ ଓ ସଂଗଠକମାନେ ରୋଷଣୀ କରି ମନ୍ଦିର ସାମ୍ନାରେ ଦଣ୍ଡାୟମାନ ସୁନ୍ଦର ସୁରମ୍ୟ, ବିଭିନ୍ନ ରଙ୍ଗବେରଙ୍ଗ କପଡାରେ ସୁସଜ୍ଜିତ ୧୫ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନେଇ ସିଂହାସନ ଆସୀନ କରାଇଥିଲେ। ଏଠାରେ ମହିଳାମାନେ ଦେବୀ ସୁଭଦ୍ରାଙ୍କୁ ନଚେଇ ନଚେଇ ରଥ ଉପରକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ଶ୍ରୀଜିଉମାନଙ୍କୁ ଓ ସେମାନଙ୍କ ରଥକୁ ପଦ୍ମିନୀ ପଣ୍ଡା ଓ ଜ୍ୟୋତିର୍ମୟୀ ରାଉତରାୟ ଖୁବ ସୁନ୍ଦର ଭାବରେ ଫୁଲ ମାଳ ସହିତ ସଜ୍ଜାଇ ଥିଲେ।

Leave a Comment

Read More