ଭୁବନେଶ୍ବର : ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଓଡିଶାବାସୀ ଓ ଜଗନ୍ନାଥ ଭକ୍ତ ମାନଙ୍କୁ ଶୁଭେଚ୍ଛା ଶୁଭକାମନା ଜାଣିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଆଜି ପବିତ୍ର ଘୋଷଯାତ୍ରା । ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଆଜି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି ।ଏକାକାର ହେବେ ଭକ୍ତ ଓ ଭଗବାନ । ଏଥିପାଇଁ ପୂର୍ବରୁ ସିଂହଦ୍ବାର ଆଗରେ ପ୍ରସ୍ତୁତ ହୋଇ ରହିଛନ୍ତି ୩ ରଥ । ବର୍ଷକ ପରେ ବଡ଼ଦାଣ୍ଡରେ ହେବ ଭକ୍ତ-ଭଗବାନଙ୍କର ଅପୂର୍ବ ମିଳନ। ଏଥିପାଇଁ ମହାବାହୁଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ। ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ରଥ-ପଥ-ଭକ୍ତ। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’ ଏକାଉଣ୍ଟରେ ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି । ଆଜି ଦେଶ ତଥା ବିଶ୍ଵର ଅଗଣିତ ଜଗନ୍ନାଥପ୍ରେମୀ ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି। ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେହିପରି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ରଥଯାତ୍ରା ଅବସରରେ ବିଶ୍ଵର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ମହାପର୍ବ ଅବସରରେ ମୁଁ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କଙ୍କ ନିକଟରେ ପ୍ରାର୍ଥନା କରୁଛି। ରାଜ୍ୟ ତଥା ଦେଶର ଉନ୍ନତି ଓ ସମସ୍ତଙ୍କର ସୁଖ ଓ ଶାନ୍ତି ପାଇଁ ସେ ବିଶ୍ଵନିୟନ୍ତାଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ନିଜର ‘ଏକ୍ସ’ ଏକାଉଣ୍ଟରେ ଲେଖିଛନ୍ତି।ସେପଟେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ତାଙ୍କ ‘ଏକ୍ସ’ ଏକାଉଣ୍ଟରେ ଲେଖିଛନ୍ତି ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖଶାନ୍ତିରେ ପରିପୂର୍ଣ୍ଣ ହେଉ ବୋଲି କହିଛନ୍ତି ।









