Search
Close this search box.

ବରୀ-କୁଆଖିଆ ସଡକ ଏବଂ ଦୁର୍ଘଟଣା,

ସ୍ୱାଧୀନତାର ୭୬ ବର୍ଷ ପରେ ବି ବରୀର ମୁଖ୍ୟ ଯୋଗାଯୋଗ ସଡ଼କ ବରୀ-ବରୁହାଁ-କୁଆଖିଆ ରାସ୍ତା ରେ ବିଭିନ୍ନ ରାଜନୈତିକ ରାଲି, ବାହାଘର ରୋଷଣୀ, ମେଳଣ ସମୟରେ ଅସହାୟତାକୁ ଦେଖିଲେ ବହୁତ ଦୁଃଖ ଲାଗୁଛି।କିଛି ବର୍ଷ ତଳେ କୁଆଖିଆ-ବରୁହାଁ-ଯାଜପୁର ଟାଉନ୍-ଆରଡି-ଚାନ୍ଦବାଲି ସଡ଼କ ଜାତୀୟ ରାଜପଥ ସଂଖ୍ୟା ୨୦ ଘୋଷଣା କରାଗଲା ପରେ ନେତୃତ୍ବ ଶୂନ୍ୟ ବରୀର ମୁଖ୍ୟ ଯୋଗାଯୋଗ ସଡ଼କ ବରୁହାଁ ବରୀ ରାସ୍ତା ବାପା ମା ଛେଉଣ୍ଡ ପରି ମନେ ହେଉଛି।୧୯୭୭ ମସିହାରେ ଶ୍ରୀକାନ୍ତ ଜେନା ଜନତା ଦଳ ଟିକଟ ରେ ଜିତି ବିଧାନସଭାକୁ ଗଲା ପରେ ସ୍ୱାଧୀନତା ସଂଗ୍ରାମୀର ଏହି ମାଟିକୁ ସବୁଦିନିଆ ବସ୍ ଯୋଗାଯୋଗ କରିବା ପାଇଁ ଶଙ୍କାରିଗଡା ନିକଟରେ ଏକ ପକ୍କା ପୋଲ ତଥା ବାଲିଆପାଳ ଏବଂ ବରୀ ନିକଟରେ କାଠ ପୋଲ ବ୍ୟବସ୍ଥା କରି ବରୀକୁ ସବୁଦିନିଆ ବସ୍ ଯୋଗାଯୋଗ ବ୍ୟବସ୍ଥା କରାଇଥିଲେ।ସେତେବେଳେ ବହୁତ ଅଣଚଉଡା ରାସ୍ତା ତଥା ପ୍ରାୟ ଅଧିକାଂଶ ବର୍ଷ ବନ୍ୟା ଦ୍ଵାରା ଏହା ନଷ୍ଟ ହେଉଥିବା ଯୋଗୁଁ ୨୦୦୦ ମସିହାରେ ଦେବାଶିଷ ନାୟକ ବିଜେଡିରୁ ବିଧାୟକ ହେବାପରେ ରାସ୍ତାର ବହୁ କାୟାକଳ୍ପ ବଦଳାଇ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ପୋଲ ଏବଂ ରାସ୍ତାର ପ୍ରଶସ୍ତିକରଣ କରିଥିଲେ।୨୪ ବର୍ଷ ଭିତରେ ଏହି ରାସ୍ତାରେ ଯାନବାହାନ ଚଳାଚଳ ସଂଖ୍ୟା ୫ଗୁଣରୁ ଅଧିକ ବଢିଥିଲାବେଳେ କିନ୍ତୁ ରାସ୍ତା ରେ ଆଉ କିଛି ବି ଉନ୍ନତି ହୋଇନାହିଁ ବରଂ ଯାହା ହୋଇଥିଲା ସେଥିରୁ ମରାମତି ଅଭାବରୁ କିଛି କମିଛି । ଯାହାଫଳରେ ଏହି ରାସ୍ତା ଏବେ ଦୁର୍ଘଟଣାର ପ୍ରାଣକେନ୍ଦ୍ର ପାଲଟିଛି। ନିଆଁରେ ଘିଅ ଢାଳିଲା ପରି ଏହି ରାସ୍ତା କଡ଼ରେ ରାଜ୍ୟ ସରକାର ୨-୩ ବିଦେଶୀ ମଦ ଦୋକାନ ଖୋଲି ଦୁର୍ଘଟଣାକୁ ନିମନ୍ତ୍ରଣ ଦେଇଛନ୍ତି।ଏହି ସମୟ ଭିତରେ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସାଧାରଣ ସଡ଼କ ଗୁଡ଼ିକର ଦ୍ରୁତ ବିକାଶ ଘଟିଛି। କିନ୍ତୁ ଏହା ଜିଲ୍ଲା ମୁଖ୍ୟ ସଡ଼କ ସଂଖ୍ୟା ୧୪ ହୋଇଥିଲେ ବି ଏହାର ଅବସ୍ଥା ଶୋଚନୀୟ ରହିଛି।୨୦୨୦,୨୦୨୧ର ପ୍ରଳୟଙ୍କାରୀ ବନ୍ୟା ସମୟରେ ସରକାରଙ୍କ ଅସହାୟତାକୁ ଦେଖି ସାଧାରଣରେ ବହୁ ପ୍ରଶ୍ନ ଉଠିଲା। ସରକାର ହେଲିକପ୍ଟରରୁ ଖାଦ୍ୟ ସାମଗ୍ରୀ ପକାଇବା ପାଇଁ ବି ବରୀ ଠାରୁ ବରୁହାଁ ଭିତରେ ସଡକରେ ସମର୍ଥ ହେଲେ ନାହଁ କାରଣ ସଂପୂର୍ଣ୍ଣ ସଡ଼କ ପାଣିରେ ବୁଡିଥିଲା।ଏହାପରେ ଏହାର ଉଚ୍ଚତା ଏବଂ ଚଉଡା ବଢ଼ାଇବା ପାଇଁ ବହୁଥର ମାପ ନିଆଗଲା କିନ୍ତୁ ଏହା ଏବେ କେଉଁ ଶୀତଳ ଭଣ୍ଡାରରେ ପଡ଼ିଛି ତାହା କେହି ଜାଣି ନାହାନ୍ତି। ବିଗତ କିଛିବର୍ଷର ନେତୃତ୍ବ କନ୍ଦଳ ବରୀକୁ ନେତୃତ୍ବ ଶୂନ୍ୟ ଅବସ୍ଥାକୁ ନେଇଯାଇଥିବାରୁ ବରୀର ଯୋଗାଯୋଗ ବ୍ୟବସ୍ଥା ଠାରୁ ନେଇ ସ୍ୱାସ୍ଥ୍ୟସେବା, ଶିକ୍ଷା ଠାରୁ ନେଇ ନିଯୁକ୍ତି ପୁଣି ପାନୀୟ ଜଳ ଠାରୁ ନେଇ ବିପର୍ଯ୍ୟୟ ପରିଚାଳନା ସବୁଥିରେ ବରୀ ୨୦ ବର୍ଷ ତଳକୁ ଚାଲିଯାଇଛି। ଯଦି କେଉଁ ଦିଗରେ ବରୀ ଆଗକୁ ବଢ଼ିଥିବା ପରି ମନେହୁଏ ତାହା ହେଲା ଦୁର୍ନୀତି, ଗୁଣ୍ଡାରାଜ ଏବଂ ଭ୍ରଷ୍ଟାଚାର।ଆଉ ଏଥିପାଇଁ ବରୀ ଜନତା ଯେତିକି ଦାୟି ତାଠାରୁ ବେଶୀ ଦାୟି ରାଜ୍ୟରେ ଥିବା ସରକାରୀ ନେତୃତ୍ବ। ଜାଣିଶୁଣି ବରୀରେ ଡିଭାଇଡ୍ ଆଣ୍ଡ ରୁଲ୍ ବ୍ୟବସ୍ଥା ଚଲାଇ ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟ ହାସଲରେ ସଫଳ ହେଉଥିଲା ବେଳେ ବରୀର ସାଧାରଣ ଜନତା କେବଳ ନିରବଦ୍ରଷ୍ଟା ସାଜି ବିକାଶ ଠାରୁ ଦୂରକୁ ଦୂରକୁ ଚାଲିଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ବରୀ ବାସୀଙ୍କର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ ଏବଂ ସେମାନେ ନିଜର ହକ୍ ପାଇଁ ମୁହଁ ଖୋଲିବାକୁ ସାହାସ କରିବେ।

Leave a Comment

Read More