*ଗୁରୁଗ୍ରାମଠାରେ ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ*
ଗୁରୁଗ୍ରାମ ତା ୦୨.୦୯. ରିଖ ; ଜାତୀୟ ରାଜଧାନୀ କ୍ଷେତ୍ର ଅନ୍ତର୍ଗତ ଗୁରୁଗ୍ରାମଠାରେ ଚଳିତ ବର୍ଷ ମହାସମାରୋହରେ ଦୁର୍ଗାପୂଜା ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ଏଠାକାର ସେକ୍ଟର ୪ ଠାରେ କଳିଙ୍ଗ କଲଚରାଲ ଏଣ୍ଡ ୱେଲଫେଆର ଆସୋସିଏସନ (କେ.ସି.ଡବ୍ଲ୍ୟୁ.ଏ) ଦ୍ଵାରା ଆୟୋଜନ କରାଯାଉଥିବା ଦୁର୍ଗାପୂଜା ଚଳିତଥର ପନ୍ଦର ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏହି ଦୃଷ୍ଟିରୁ ଏଥରର ପାର୍ବଣକୁ ଅଧିକ ଆକର୍ଷଣୀୟ ଏବଂ ଉଚ୍ଚକୋଟିର କରିବା ପାଇଁ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରୟାସ ଚାଲିଥିବ ପ୍ରାପ୍ତ ସୂଚନାରୁ ପ୍ରକାଶ। ଏହା ମଧ୍ୟରେ ଆସୋସିଏସନର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରାଙ୍କର ପୌରହିତ୍ୟରେ ଚାରିଦଫାରେ ପ୍ରସ୍ତୁତି କମିଟିର ବୈଠକ ଅନୁଷ୍ଠିତ ହୋଇ ଆୟୋଜନର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯିବା ସହିତ ଏ ବର୍ଷର ଉତ୍ସବରେ କିଛି ନୂତନ ଧର୍ମୀ ମନୋରଞ୍ଜନ କାର୍ଯ୍ୟକ୍ରମକୁ ସାମିଲ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଆସନ୍ତା ଦୁର୍ଗାପୂଜାରେ ମୂର୍ତ୍ତି ନିର୍ମାଣଠାରୁ ଆରମ୍ଭ କରି ମଣ୍ଡପର ତୋରଣ ପ୍ରସ୍ତୁତି ତଥା ମେଢ଼ ଶୋଭାଯାତ୍ରାକୁ ଅତ୍ୟନ୍ତ ନିଆରା ଢଙ୍ଗରେ କରାଯିବ ବୋଲି ସଙ୍ଗଠନର ସଭାପତି ଶ୍ରୀ ବେହେରା ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ମହୋତ୍ସବ ସମୟରେ ଦୈନିକ ଆଗନ୍ତୁକମାନଙ୍କର ସତ୍କାର ଉଦ୍ଦେଶ୍ୟରେ ପ୍ରସାଦ ସେବନ ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଶ୍ରୀ ବେହେରା ସୂଚନା ପ୍ରଦାନ କରିଛନ୍ତି।ଚଳିତ ବର୍ଷର ପୂଜାରେ ଓଡ଼ିଶାର ଚଳଚ୍ଚିତ୍ର ଜଗତର ବହୁ ନାମିଦାମୀ ଅଭିନେତା, ଅଭିନେତ୍ରୀ, ଗାୟକ ଏବଂ ଗାୟିକା ବିଭିନ୍ନ ଦିବସର କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ମଧ୍ଯ ସେ ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ପ୍ରତ୍ୟହ ସାଂସ୍କୁତିକ ସନ୍ଧ୍ୟାରେ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ, ସାଂସଦ, ରାଜ୍ଯମନ୍ତ୍ରୀ, ସ୍ଥାନୀୟ ବିଧାୟକ, ନିଗମ ପାର୍ଷଦ ତଥା ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ଶ୍ରୀ ବେହେରା ଉଲ୍ଲେଖ କରିଛନ୍ତି।
ଚଳିତ ବର୍ଷ ଦୁର୍ଗାପୂଜା କମିଟି ପକ୍ଷରୁ ମାଟିପୂଜା ରୀତିନୀତି ଓ ପରମ୍ପରା ଅନୁଯାୟୀ କର୍ତ୍ତା ହରେକୃଷ୍ଣ ମହାନ୍ତିଙ୍କର ବାସଭବନରେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ସମ୍ପନ୍ନ କରାଯିବା ପାଇଁ ସ୍ଥିର ହୋଇଥିବା ଜଣାଯାଇଛି। ଏହି ଶାରଦୀୟ ମହୋତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ସଦ୍ଭାବନାର ସହିତ ପାଳନ କରାଯିବା ପାଇଁ ପୂଜା କମିଟିର ଉପଦେଷ୍ଟା ଆଇନଜିବୀ ମୋନାଲିସା ମହାପାତ୍ର ଏବଂ ହରେକୃଷ୍ଣ ମହାନ୍ତି ସମସ୍ତଙ୍କର ସାହାଯ୍ଯ, ସହଯୋଗ ଓ ସଦିଚ୍ଛା କାମନା କରିଛନ୍ତି।









