ୱାର୍ଲଡ଼ ଓଡ଼ିଶା ସୋସାଇଟି ପକ୍ଷରୁ ସାଂସଦ ଅନନ୍ତ ନାୟକ ଓ ବଳଭଦ୍ର ମାଝୀଙ୍କୁ ସମ୍ୱର୍ଦ୍ଧନା
ନୂଆଦିଲ୍ଲୀ ୪/୭: ଦିଲ୍ଲୀ ସ୍ଥିତ ୱାର୍ଲଡ଼ ଓଡ଼ିଶା ସୋସାଇଟି ପକ୍ଷରୁ ନବ ନିର୍ବାଚିତ କେଉଁଝରର ସାଂସଦ ଅନନ୍ତ ନାୟକ ଓ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀଙ୍କୁ ସମ୍ୱର୍ଦ୍ଧତ କରାଯାଇଛି। ନୂଆଦିଲ୍ଲୀର ଓଡିଶା ନିବାସ ଠାରେ ଆୟୋଜିତ ସମାବେଶରେ ଉଭୟ ଲୋକସଭା ସଦସ୍ୟଙ୍କୁ ୱା.ଓ.ସୋ ତରଫରୁ ସମ୍ୱର୍ଦ୍ଧତ କରାଯାଇଥିଲା। ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଏବଂ ଆଇ. ଟି. ସାଧାରଣ ସମ୍ପାଦକ ତଥା ଯାଜପୁରର ନବ ନିର୍ବାଚିତ ସାଂସଦ ଡ଼ଃ ରଵୀଦ୍ର ନାରାୟଣ ବେହେରାଙ୍କର ନେତୃତ୍ୱରେ ଆୟୋଜିତ ଏହି ସମ୍ୱର୍ଦ୍ଧନା ଆସରରେ ୱା.ଓ.ସୋ ର ବହୁ ସଦସ୍ୟ ଓ ଶୁଭେଚ୍ଛୁ ଯୋଗ ଦେଇଥିଲେ।
ସମାବେଶକୁ ସମ୍ବୋଧନ କରି ୱା.ଓ.ସୋ ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ନୂତନ ଏଵଂ ସୁବର୍ଣ୍ଣ ଓଡିଶା ଗଠନ ପାଇଁ ୱାର୍ଲଡ଼ ଓଡ଼ିଶା ସୋସାଇଟିର ରହିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ଉଭୟ ସାଂସଦଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମ ରେ ୱା.ଓ.ସୋ ର ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ସଂଯୋଜକ ଉମାକାନ୍ତ ଜେନା, ସାଧାରଣ ସମ୍ପାଦକ ଜ୍ଞାନ ପ୍ରକାଶ ଜେନା, ବ୍ୟଞ୍ଜନ ବିଭାଗର ସଂଯୁକ୍ତ ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକ, ମହିଳା ଶାଖାର ଉପ-ସଭାପତି ରୀତା ପାତ୍ର, ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ବରିଷ୍ଠ ସଦସ୍ୟ ଆଚାର୍ଯ୍ୟ ଅଭିମନ୍ୟୁ, ସ୍ୱପ୍ନାରାଣୀ ରାଉତ, ବିଜେପିର ଯୁବ ନେତା ଚିତ୍ତରଞ୍ଜନ ସାହୁ ଓ ପ୍ରଧାନମନ୍ତ୍ରୀ ମ୍ୟୁଜିୟମର ଅଧିକାରୀ ଦିପ୍ତୀରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l













