ଚାନ୍ଦବାଲିଠାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ଏଠାକାର ଦଳୀୟ ପ୍ରାର୍ଥୀ ମନମୋହନ ସାମଲ ଏବଂ ଛତିଶଗଡ଼ ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଓ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ମିଳିତ ଭାବେ ଧୂଆଁଧାର ପ୍ରଚାର କରିଥିବା ଜଣାଯାଇଛି। ଉଭୟ ଶ୍ରୀ ସାମଲ ଓ ଶ୍ରୀ ମିଶ୍ର ନିର୍ବାଚନୀ ଜନସଭାମାନଙ୍କୁ ସମ୍ବୋଧନ କରିବା ସାଙ୍ଗକୁ ବିଶାଳକାୟ ରୋଡ଼ଶୋ କରି ଦଳର ସପକ୍ଷରେ ଜନମତ ଜାଗ୍ରତ କରିବା ପାଇଁ ଜୋରଦାର ଉଦ୍ୟମ କରିଥିବା ଦେଖାଯାଇଥିଲା।ଦଳର ଚିହ୍ନ ପଦ୍ମ ଫୁଲ, ପୋଷ୍ଟର, ବ୍ୟାନର, ପତାକା ଏବଂ ଉତ୍ତରୀୟ ଆଦି ଧାରଣ କରି ସହସ୍ରାଧିକ କର୍ମୀ, ସମର୍ଥକ ଓ ଶୁଭେଚ୍ଛୁ ଏହି ପ୍ରଚାର ଅଭିଯାନରେ ସାମିଲ ହୋଇ ସମଗ୍ର ପରିବେଶକୁ ଗୈରିକ ସ୍ୱରୂପ ପ୍ରଦାନ କରିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା।
ଏହି ଅବସରରେ ବିଭିନ୍ନ ପଥପ୍ରାନ୍ତ ସଭାରେ ଭାଷଣ ଦେଇ ପୁରନ୍ଦର ମିଶ୍ର ଓଡ଼ିଶାରେ ଏଥର ନିରଙ୍କୁଶ ସଂଖ୍ୟା ଗରିଷ୍ଠତାର ସହିତ ବିଜେପି ସରକାର ଗଢ଼ିବ ଏବଂ ଲୋକସଭାର ସମସ୍ତ ୨୧ଟି ଯାଙ୍କ ଆସନ ହାସଲ କରିବ ବୋଲି ଘୋଷଣା କରିଥିଲେ। ରାଜ୍ୟରେ ପରିବର୍ତ୍ତନର ବତାସ ବହୁଥିବା ସେ ସୁଚାଇ ଥିଲେ।ନିରୀହ ଓଡ଼ିଶାବାସୀ ଦୀର୍ଘ ୨୫ବର୍ଷ ଧରି ନବୀନ ପଟ୍ଟନାୟକଙ୍କର ଭ୍ରଷ୍ଟାଚାରୀ ସରକାରକୁ ସହ୍ୟ କରିବା ପରେ ଏବେ ଅତିଷ୍ଠ ହୋଇଉଠିଥିବା ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ। ବିଜୁ ଜନତା ଦଳର ସରକାର ରାଜ୍ୟର ଜନସାଧାରଣଙ୍କର ହକ୍ ଓ ଅଧିକାରକୁ କ୍ରମାଗତ ଭାବେ ବଞ୍ଚିତ କରି ସେମାନଙ୍କର ଭାବନା ସହିତ ଖେଳ ଖେଳିବାର ଅପଚେଷ୍ଟା କରିଥିବା ସେ ଦର୍ଶାଇଥିଲେ। ଏଣୁ ଏଥର ରାଜ୍ୟର ଜନତା ଅପାରଗ ନବୀନ ପଟ୍ଟନାୟକଙ୍କର ଅପଦାର୍ଥ ଶାସନକୁ ବଦଳାଇବା ପାଇଁ ମନ ସ୍ଥିର କରିଥିବା ଶ୍ରୀ ମିଶ୍ର ସୁଚାଇଥିଲେ। ଏଠାକାର ଲୋକମାନଙ୍କର, ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗ୍ୟାରେଣ୍ଟି ଉପରେ ସମ୍ପୂର୍ଣ୍ଣ ଆସ୍ଥା ରହିଥିବାରୁ ସେମାନେ ଏଠାରେ ବିଜେପି ସରକାର ପ୍ରତିଷ୍ଠା କରି ଓଡ଼ିଶାରେ ନବନିର୍ମାଣ ଯୁଗର ଅୟମାରମ୍ଭ କରିବାକୁ ବଦ୍ଧପରିକର ଥିବା ସେ କହିଥିଲେ। ଜୁନ ୧୦ ତାରିଖରେ ଭୁବନେଶ୍ବର ଠାରେ ଶପଥ ନେବାକୁ ଯାଉଥିବା ନୂଆ ବି.ଜେ.ପି ସରକାର ଚାଷୀ,ମହିଳା, ଯୁବସମ୍ପ୍ରଦାୟ ଏବଂ ଗରୀବଗୁରୁବାଙ୍କର ସର୍ବାଙ୍ଗୀନ କଲ୍ୟାଣ ଦିଗରେ ବିଶେଷ ଧ୍ୟାନ ଦେବ ବୋଲି ଶ୍ରୀ ମିଶ୍ର ଭରସା ପ୍ରଦାନ କରିଥିଲେ।
ପ୍ରାର୍ଥୀ ମନମୋହନ ସାମଲ ତାଙ୍କର ଉଦବୋଧନରେ ଦୀର୍ଘ ୨୫ବର୍ଷ ହେଲା ବିଜେଡିର ଶାସନ କାଳରେ ଚାନ୍ଦବାଲି ବ୍ୟାପକ ଅବହେଳାର ଶୀକାର ହୋଇଥିବା ଉଲ୍ଲେଖ କରିଥିଲେ।ଚାନ୍ଦବାଲିର ଭାଗ୍ୟଦ୍ୟୋୟ ପାଇଁ ଚଳିତ ନିର୍ବାଚନ ଅପୂର୍ବ ସୁଯୋଗ ଆଣିଦେଇଥିବା ସେ କହିଥିଲେ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଚାନ୍ଦବାଲି ବିକାଶର ଶୀଖରକୁ ଛୁଇଁବା ସ୍ୱତଃସିଦ୍ଧ ବୋଲି ଶ୍ରୀ ସାମଲ ଦମ୍ଭ ପ୍ରକାଶ କରିଥିଲେ। ପୁରନ୍ଦର ମିଶ୍ର ସୁଦୂର ଛତିଶଗଡ଼ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦଳର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରି ସେମାନଙ୍କର ମନୋବଳକୁ ସୁଦୃଢ଼ କରିଥିବାରୁ ମନମୋହନ ସାମଲ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।











