Search
Close this search box.

ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ*

*ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ*

ନୂଆଦିଲ୍ଲୀ ତା ୦୫.୧୧.ରିଖ ; ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଙ୍ଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ,ସେମାନଙ୍କର ପରିବାର ବର୍ଗ ଓ ବନ୍ଧୁପରିଜନଙ୍କ ସହିତ ସକାଳୁ ଆସି ସାମିଲ ହୋଇଥିବାର ଦେଖା ଯାଇଥିଲା।ପୁର୍ଣ୍ଣିମା ଉପଲକ୍ଷେ ବୋଇତ ବନ୍ଦାଣର ସ୍ଥଳ ମନ୍ଦିର ପାର୍ଶ୍ୱବର୍ତ୍ତୀ ଫୁଆରାର ଚାରିପଟ ଏବଂ ସମ୍ପୂର୍ଣ୍ଣ ମନ୍ଦିର ବେଢାକୁ ଖୁବ ସୁନ୍ଦର ଭାବେ ସଜାଯାଇଥିଲା। ସମଗ୍ର ପରିବେଶ ଅତ୍ୟନ୍ତ ଭକ୍ତିପୁତ ଓ ବେଶ ଉତ୍ସବ ମୁଖର ହୋଇପଡିଥିବାର ଲକ୍ଷ୍ୟ କରାଯାଇଥିଲା। ଦର୍ଶକମାନଙ୍କ ମଧ୍ୟରେ ବୋଇତ ଭସାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପ୍ରକାଶ ପାଇଥିଲା।ବଢ଼ି ଭୋରରୁ ପୂଜାରୀମାନେ ମୁଖ୍ୟ ମନ୍ଦିର ମଧ୍ୟରେ ଚାରିଦିଅଁଙ୍କର ସାମନାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହାପରେ ଫୁଆରାର ପୋଖରୀ କୂଳରେ ଭାସମାନ ଥିବା ସୁନ୍ଦର ଓ ସୁସଜ୍ଜିତ ବୋଇତଟିକୁ ପୂଜା କରାଯାଇଥିଲା। ଉପସ୍ଥିତ ମହିଳାମାନେ ବୋଇତର ବନ୍ଦାପନା କାର୍ଯ୍ୟ ସମ୍ପନ୍ନ କରିଥିଲେ।

ସମାରୋହରେ ଦିଲ୍ଲୀ ସରକାରର ମନ୍ତ୍ରୀ ଆଶିଷ ସୁଦ ଓ ତାଙ୍କର ଧର୍ମପତ୍ନୀ ଅନୁ ସୁଦ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ଆୟୋଜକ ତଥା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନଙ୍କର ତତ୍ତ୍ୱାବଧାନରେ ଆଗନ୍ତୁକ ଅତିଥି ଅଭ୍ୟାଗତମାନଙ୍କ ଦ୍ୱାରା ପାରମ୍ପରିକ ଢଙ୍ଗରେ ‘ଆ-କା-ମା-ବୈ’ ଧ୍ୱନୀ ଉଚ୍ଚାରଣ କରାଯିବା ସହିତ ସୁଶୋଭିତ ବୋଇତଟିର ଯାତ୍ରା ଶୁଭାରମ୍ଭ ହୋଇଥିଲା I ସମଗ୍ର ଗଗନ ପବନ ହରିବୋଲ, ହୁଳହୁଳି ଏବଂ ଶଙ୍ଖଧ୍ଵନୀ, ଭଜନ-କୀର୍ତ୍ତନର ସୁଲଳିତ ସ୍ୱର ଝଙ୍କାର ତଥା ଘଣ୍ଟ, ଝାଞ୍ଜ ଓ ମୃଦଙ୍ଗ ଆଦି ବାଦ୍ୟର ଘୋରଘର୍ଘର ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା। ଓଡ଼ିଆ ଜାତିର ମାନ, ସମ୍ମାନ ଓ ସ୍ୱାଭିମାନର ପ୍ରତୀକ ବୋଇତଟି ଫୁଆରାର ଚତୁଃପାର୍ଶ୍ୱରେ ପରିଭ୍ରମଣ କରିବାର ଦୃଶ୍ୟ ବେଶ ଅନନ୍ୟ ଓ ଅବିସ୍ମରଣୀୟ ଥିଲା। ଅତୀତରେ ଓଡ଼ିଶାର ସାଧବ ପୁଅମାନେ ସୁଦୂର ଜାଭା, ସୁମାତ୍ରା ,ବାଲି ଓ ବୋର୍ଣ୍ଣିଓ ଆଦି ଦ୍ବୀପକୁ ବେପାର ବଣିଜ ପାଇଁ ଯାତ୍ରା କରୁଥିବାର ସାଙ୍କେତିକ ଝଲକ ଏଠାରେ ମିଳିଥିଲା। ଓଡ଼ିଶାର ନୌବାଣିଜ୍ୟର ସ୍ୱର୍ଣ୍ଣାଭ ଇତିହାସ, ଗୌରବମୟ ପରମ୍ପରା ଏବଂ ମହାନ ସାଂସ୍କୃତିକ ଐତିହ୍ୟର ଅପୂର୍ବ ରୂପାୟନ ଉପସ୍ଥିତ ଦେଖଣାହାରୀମାନଙ୍କୁ ଅଭିଭୂତ କରି ଦେଇଥିଲା।

ଉତ୍ସବର ମୁଖ୍ୟ ଆକର୍ଷଣ ଓଡ଼ିଶାରୁ ଆସିଥିବା ବିଶିଷ୍ଟ ଗାୟିକା ଅନିନ୍ଦିତା ଦାସ, ଉଦୀୟମାନ କଣ୍ଠଶିଳ୍ପୀ ଆରାଧନା ପାଣିଗ୍ରାହୀ ଓ ଗୋପୀନାଥ ପାଣିଗ୍ରାହୀ ଙ୍କର ସୁମଧୁର ଭଜନ ପରିବେଷଣ ଥିଲା। ସୁନାମଧନ୍ୟ ଓଡ଼ିଶୀ ଗୁରୁ ନିତ୍ୟାନନ୍ଦ ଦାସଙ୍କର ଶିଷ୍ୟ ଓ ଶିଷ୍ୟାମାନଙ୍କ ଦ୍ୱାରା ମଞ୍ଚସ୍ଥ ନୃତ୍ୟ ଅଭିନୟ ମଧ୍ଯ ବେଶ ଭାବୋଦ୍ଦୀପକ ଥିଲା ଏବଂ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।ଏଠାରେ ବିଶିଷ୍ଟ ହାସ୍ୟ କଳାକାର ଗୋଲୁ ଙ୍କର ଅଭିନୟ ଦମଦାର ଥିଲା ।କାର୍ଯ୍ୟକ୍ରମକୁ ସ୍ୱର୍ଣ୍ଣପ୍ରଭା ପତି ସୁଚାରୁ ରୂପେ ସଞ୍ଚାଳନା କରିଥିଲେ।
ଏହି ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ତରଫରୁ ସ୍ୱାଦିଷ୍ଟ ହବିଷ ପ୍ରସାଦ ପରଷା ଯାଇଥିଲା। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଅବନୀ ସାହୁ, ଗୁରୁ ପ୍ରସାଦ ମିଶ୍ର, ସବିତା ପ୍ରଧାନ,ରୀତା ପାତ୍ର, ସଞ୍ଜୟ ମିଶ୍ର,ବିଷ୍ଣୁ ପ୍ରଧାନ,ଡ଼ଃ ଶକ୍ତି ସୁଧା ସାମନ୍ତରାୟ ଓ ରୁପାଲୀ ଅପରାଜିତା ମହାନ୍ତି ପ୍ରମୁଖ ଅନର୍ଭୂକ୍ତ ଥିଲେ । ସମଗ୍ର ବୋଇତ ବନ୍ଦାଣ ଉତ୍ସବକୁ ସଫଳତାର ସହିତ ଆୟୋଜନ କରିବାରେ ଶ୍ରୀ ନୀଳାଚଳ ସେବାସଙ୍ଘର ସଭାପତି ବିଘ୍ନେଶ୍ୱର ରାଉତ, ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ,ଉପ-ସଭାପତି ରବି ପାଣି,ଗଜେନ୍ଦ୍ର ସାମନ୍ତ,ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ,ଅଭୟ ପ୍ରଧାନ,ରଙ୍କନିଧି ସାହୁଏବଂ ସଦସ୍ୟ ଯଥା କ୍ଷୀରୋଦ ପାତ୍ର, ଅଭିରାମ ସୁତାର, ଉପେନ୍ଦ୍ର ବେହେରା,ଅଶୋକ ପ୍ରଧାନ,ଜୀତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ,ପଙ୍କଜ ମହାନ୍ତି, ନିଶୀଦ୍ଧ କୁମାର ଦାସ,ସୁରଜ ନାୟକ,ଅଫିସର ରାଉତ, ଦିଲ୍ଲୀପ କୁମାର ସ୍ୱାଇଁ, ବିଜୟ କୁମାର ସାହୁ, ଅମୁଲ୍ୟ ଓଝା, ସୁକାନ୍ତ ସାହୁ ଏବଂ ମନ୍ଦିର ମୁଖ୍ୟ ପରିଚାଳକ ରଶ୍ମି ରଞ୍ଜନ ବେହେରା ତଥା ସହପରିଚାଳକ ଶଶୀକାନ୍ତ ସାହୁ, ସଂଜୀବ ଜେନା, ମନ୍ଦିରର ପୂଜକ ଯଥା ସନାତନ ପାଢ଼ୀ ଓ ଦେବବ୍ରତ ମିଶ୍ର ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

Leave a Comment

Read More

Verified by MonsterInsights