Search
Close this search box.

ବ୍ରଜରାଜନଗରରେ ପୁରନ୍ଦର ମିଶ୍ରଙ୍କର ରୋଡ଼ସୋ.

ଭୁବନେଶ୍ୱର ତା ୧୯/୦୫ ଛତିଶଗଡ଼ ରାଜ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଝାରସୁଗୁଡାର ବନ୍ଦବାହାଲ ଠାରେ ଏକ ବିଶାଳ ରୋଡ଼ସୋ କରି ଦଳ ସପକ୍ଷରେ ପ୍ରଚାର ଅଭିଯାନକୁ ଜୋରଦାର କରିଥିବା ଜଣାଯାଇଛି।ଏହି ମହାଶକ୍ତି ପ୍ରଦର୍ଶନ ଯାତ୍ରାରେ ଶ୍ରୀ ମିଶ୍ରଙ୍କ ସହିତ ବିଜେପିର ଛତିଶଗଡ଼ ପ୍ରଦେଶ ସଭାପତି କିରଣ ସିଂହଦେଓ ଏବଂ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀ ସୁରେଶ ପୂଜାରୀ ମଧ୍ୟ ଯୋଗ ଦେଇଥିଲେ। ଶୋଭାଯାତ୍ରାରେ ସାମିଲ ହୋଇଥିବା ବିଜେପିର ପତାକା, ପଦ୍ମଫୁଲ ଚିହ୍ନ, ପୋଷ୍ଟର ଏବଂ ବ୍ୟାନର ଧାରୀ ଦଳର ସହସ୍ରାଧିକ ସମର୍ଥକ ସମଗ୍ର ଇଲାକାକୁ ଗେରୁଆମୟ କରିଦେଇଥିବା ଲକ୍ଷ୍ୟ କରାଯାଇଥିଲା।

ରୋଡ଼ସୋ ପରେ ପଞ୍ଚଗାଁ ଠାରେ ଏକ ବିରାଟ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରି ପୁରନ୍ଦର ମିଶ୍ର , ଦୀର୍ଘ ୨୪ ବର୍ଷ ଧରି ଓଡିଶାକୁ ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କର ବିଜୁ ଜନତା ଦଳ ସରକାର ରାଜ୍ୟର ଭାଷା, ସଂସ୍କୃତି ଏବଂ ସଭ୍ୟତାର ପ୍ରୋତ୍ସାହନ ପାଇଁ କିଛି କରିନଥିବା ଅଭିଯୋଗ କରିଥିଲେ। ମହାନ ସଂସ୍କୃତି ଏବଂ ମହନୀୟ ଧାର୍ମିକ ପରମ୍ପରା ପାଇଁ ପ୍ରସିଦ୍ଧ ଓଡ଼ିଶାକୁ ପଟ୍ଟନାୟକ ଓ ପାଣ୍ଡିୟାନ ଯୋଡ଼ି ଲୁଟି ଚାଲିଥିବା ନେଇ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ। ନିରୀହ ଓଡ଼ିଶାବାସୀଙ୍କୁ ଏହି ଅହଙ୍କାରୀ ଯୋଡି ଧୋକା ଦେଇଥିବା ସେ ଆକ୍ଷେପ କରିଥିଲେ। କେନ୍ଦ୍ର ସରକାରଙ୍କର ଜନହୀତକାରୀ ଯୋଜନା ଗୁଡିକୁ ଏଠାରେ ଲାଗୁ କରାଇ ନଦେବା ଫଳରେ ଲୋକମାନେ ଏହାର ଦୁର୍ଦ୍ଦଶା ଭୋଗୁଥିବା ସେ ଦର୍ଶାଇଥିଲେ। ସମଗ୍ର ପଶ୍ଚିମ ଓଡ଼ିଶାରେ ଉତ୍କଟ ଗରିବୀ ଓ ବେକାରୀ ସମସ୍ୟା ଯୋଗୁଁ ଯୁବ ସମ୍ପ୍ରଦାୟ ବାହାର ରାଜ୍ୟକୁ ପଳାୟନ କରୁଥିବା ଶ୍ରୀ ମିଶ୍ର ସୁଚାଇଥିଲେ। ବିଜେପି କେବଳ ନିର୍ବାଚନ ଜିତିବା ଲକ୍ଷ୍ୟରେ ନୁହେଁ ବରଂ ଓଡ଼ିଶାର ଅସ୍ମିତା ଏବଂ ଓଡ଼ିଆ ଯୁବକ, ଯୁବତୀ ମାନଙ୍କର ଉଜ୍ଵଳ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସଂଗ୍ରାମ ଚଳାଇଥିବା ଶ୍ରୀ ମିଶ୍ର କହିଥିଲେ।

ପଡୋଶୀ ରାଜ୍ୟ ଛତିଶଗଡ଼ରେ ବିଜେପି ଶାସନ ଯୋଗୁଁ ମାତ୍ର ୬ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧାରୁ ଅଧିକ ଗ୍ୟାରେଣ୍ଟି ଗୁଡ଼ିକୁ କାର୍ଯ୍ୟାନ୍ୱୟନ କରାଯାଇ ବିକାଶର ଶିଖରରେ ପହୁଞ୍ଚାଯାଇ ପାରିଥିବା ସେ ଉଲ୍ଲେଖ କରିଥିଲେ। ଓଡ଼ିଶାରେ ମଧ୍ୟ ଜନସାଧାରଣ ବ୍ୟାପକ ସଂଖ୍ୟାରେ ବିଜେପିକୁ ଭୋଟ ଦେବାକୁ ଶ୍ରୀ ମିଶ୍ର ନିବେଦନ କରିଥିଲେ। ଓଡ଼ିଶାରେ ବିଜେପି ସରକାର ପ୍ରତିଷ୍ଠା ହେଲେ, ରାଜ୍ୟବାସୀ ସେମାନଙ୍କର ହୃତଗୌରବ, ଲୁପ୍ତଵୈଭବ ଏବଂ ସୁପ୍ତସୌରଭକୁ ପୁନର୍ବାର ଫେରି ପାଇବା ସାଙ୍ଗକୁ ଏଠାକାର ଯୁବ ସମ୍ପ୍ରଦାୟ, କୃଷକ,ମହିଳା ଏବଂ ଗରିବ ଗୁରୁବାଙ୍କର ସର୍ବାଙ୍ଗୀନ ଉନ୍ନତିର ପଥ ପ୍ରଶସ୍ତ ହୋଇପାରିବ ବୋଲି ଶ୍ରୀ ମିଶ୍ର ଦମ୍ଭର ସହିତ ଘୋଷଣା କରିଥିଲେ।

ଏହି ବିଜୟ ସଂକଳ୍ପ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ପ୍ରଭାରୀ ବିଜୟ ସିଂହ ତୋମାର ,ପୂର୍ଵତନ ସାଂସଦ ପ୍ରଭାସ ସିଂହ ଏବଂ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

Read More

Verified by MonsterInsights