Search
Close this search box.

ନୂଆଦିଲ୍ଲୀରେ ଶୋଭନୀୟ ଆନ୍ଦୋଳନର ପ୍ରତିଷ୍ଠା ଦିବସ ପାଳନ

ନୂଆଦିଲ୍ଲୀ, ତା ୦୮.୦୫ ନୂଆଦିଲ୍ଲୀଠାରେ ଶୋଭନୀୟ ଆନ୍ଦୋଳନର ୬୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହାସହିତ ଶୋଭନୀୟ ଆନ୍ଦୋଳନର ସଂସ୍ଥାପକ ପୂଜ୍ୟ କୁମାର ଭାଇଙ୍କର ୭୬ତମ ଜୟନ୍ତୀ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିରର ପରିସରରେ ଆୟୋଜିତ ସମାବେଶରେ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ସଂଖ୍ୟାରେ ଶୋଭନୀୟ ଆନ୍ଦୋଳନର ସଦସ୍ୟ, ଶୁଭେଚ୍ଛୁ ଏବଂ କୁମାର ଭାଇଙ୍କର ଅନୁଗାମୀମାନେ ଯୋଗ ଦେଇଥିବା ଦେଖା ଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ଵଭରି ଚାଲିଥିବା ଶୋଭନୀୟ ଆନ୍ଦୋଳନର ମାସକ ବ୍ୟାପୀ ପ୍ରତିଷ୍ଠା ଉତ୍ସବ ପାଳନକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗତ ଏପ୍ରିଲ ମାସ ୮ ତାରିଖରେ କଟକର ଶୋଭନୀୟ ଶିକ୍ଷାଶ୍ରମଠାରେ ଉଦଘାଟନ କରିଥିଲେ। କୁମାର ଭାଇ ତାଙ୍କର ୧୬ତମ ଜନ୍ମ ଦିବସରେ ୧୯୬୨ ମସିହା ଏପ୍ରିଲ ୮ ତାରିଖରେ ଶୋଭନୀୟ ଆନ୍ଦୋଳନକୁ ପ୍ରତିଷ୍ଠା କରିଥିଲେ। ଏହାର ମୁଖ୍ୟ ଲକ୍ଷ୍ୟ ହେଲା, ସାରା ଦୁନିଆରେ ଶାନ୍ତି, ସଂହତି ଓ ସନ୍ତୁଷ୍ଟି ପ୍ରତିଷ୍ଠା କରିବା ସାଙ୍ଗକୁ ସମାଜରୁ ଅଶୋଭନୀୟତାକୁ ଦୂରୀଭୂତ କରିବା ତଥା ମଣିଷ ଜୀବନକୁ ସରସ, ସୁନ୍ଦର,ସୁସ୍ଥ, ସମୃଦ୍ଧ, ସଂଯତ ଏବଂ ସଦା ସୁଖମୟ କରି ଗଢ଼ି ତୋଳିବା। ଉତ୍ତମ ମାନବିକତାର ଅବତାରି ମହାପୁରୁଷ କୁମାର ଭାଇ ତାଙ୍କର ସାଧନା କ୍ଷେତ୍ରରେ ମା ରମାଦେବୀ, ପଦ୍ମଶ୍ରୀ ଡ଼ଃ ଲକ୍ଷ୍ମୀନାରାୟଣ ସାହୁ, ଡ଼ଃ ପ୍ରାଣକୃଷ୍ଣ ପରିଜା ଓ ପଦ୍ମଭୂଷଣ କାଳନ୍ଦୀ ଚରଣ ପାଣଗ୍ରାହୀଙ୍କ ଭଳି ମହାନୁଭବମାନଙ୍କର ଆଶୀର୍ବାଦ ଲାଭ କରିଥିଲେ। ଦୁର୍ଭାଗ୍ୟବଶତଃ ମାତ୍ର ୪୬ ବର୍ଷ ବୟସରେ ୧୯୯୩ ମସିହାରେ କୁମାର ଭାଇଙ୍କର ନିଧନ ଘଟିଥିଲା। ପରବର୍ତ୍ତୀ ସମୟରେ ଗୁରୁମା ସ୍ବର୍ଗତଃ ସତ୍ୟଭାମା ଦେବୀ ଏବଂ ବର୍ତ୍ତମାନ ଗୁରୁମା ଡଃ ଅରୁନ୍ଧତୀ ଦେବୀ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଏବଂ ସମ୍ପାଦକ ଭାବରେ କୁମାର ଭାଇଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟସୂଚୀକୁ ଫଳପ୍ରସୂ କରିବାରେ ଲାଗିଛନ୍ତି।

ଉପସ୍ଥିତ ବରେଣ୍ୟ ଅତିଥି ମାନଙ୍କ ଦ୍ଵାରା କୁମାର ଭାଇଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ କରାଯିବା ଦ୍ଵାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଭାକୁ ସମ୍ବୋଧନ କରି ମୁଖ୍ୟ ଅତିଥି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧକ୍ଷ କିଶୋର ଦ୍ଵିବେଦୀ ଏକ ଉନ୍ନତ, ଶାନ୍ତ, ସଦଭାବନା ପୂର୍ଣ୍ଣ ଏବଂ ପ୍ରଦୂଷଣ ମୁକ୍ତ ଦୁନିଆ ଗଠନ ପାଇଁ କୁମାର ଭାଇ ଏବଂ ଶୋଭନୀୟ ଆନ୍ଦୋଳନ ଦ୍ଵାରା ପ୍ରଦର୍ଶିତ ମାର୍ଗକୁ ଗ୍ରହଣ କରିବାକୁ ସଚେତନ ନାଗରିକ ମାନଙ୍କୁ ନିବେଦନ କରିଥିଲେ। ହିଂସା, ଈର୍ଷା ଏବଂ ଅହଂକାରକୁ ପରିତ୍ୟାଗ କରି ଜୀବନରେ ଶୃଙ୍ଖଳା, ସହିସ୍ନୁତା ଏବଂ ଶାଳୀନତାକୁ ଆପଣେଇଲେ ସ୍ବର୍ଗତଃ କୁମାର ଭାଇଙ୍କର ଅଧୁରା ସ୍ବପ୍ନ ସାକାର ହୋଇପାରିବ ବୋଲି ଶ୍ରୀ ଦ୍ବିବେଦୀ ମତ ପ୍ରକାଶ କରିଥିଲେ। ସମ୍ମାନୀୟ ଅତିଥି ବରିଷ୍ଠ ଆଇନଜୀବୀ ଅବନୀ ସାହୁ କୁମାର ଭାଇଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ସାଂପ୍ରତିକ ଯୁଦ୍ଧଖୋର୍ ଓ ଧ୍ଵଂସଗାମୀ ମନୋବୃତ୍ତିରୁ ପୃଥିବୀକୁ ଉଦ୍ଧାର କରିବାକୁ ହେଲେ କୁମାର ଭାଇଙ୍କର ଦର୍ଶନର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଥିବା ଦର୍ଶାଇଥିଲେ। ମୁଖ୍ୟବକ୍ତା ସାଇବର ସୁରକ୍ଷା ବିଶେଷଜ୍ଞ ଡଃ ଦିବ୍ୟା ତୱଁର୍ ବର୍ତ୍ତମାନ ଯୁଗରେ ବୃଦ୍ଧି ପାଉଥିବା ସାଇବର ଅପରାଧ ନେଇ ଘୋର ଉଦବେଗ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମଗୁଡ଼ିକୁ ସମ୍ୟକ ଉପଯୋଗ କରିବା ଏବଂ ସୀମିତ ସୂଚନା “ଅପଲୋଡ଼” କରିବା ଦ୍ୱାରା ସାଇବର ସୁରକ୍ଷା ପାଳନ କରାଯାଇ ପାରିବା ବୋଲି ଡ଼ଃ ତୱଁର୍ ପରାମର୍ଶ ଦେଇଥିଲେ। ବିଶିଷ୍ଟ ଅତିଥି ସୁପ୍ରିମକୋର୍ଟର ଅଧିବକ୍ତା ରାମ ଅବତାର ଶର୍ମା, ଶୋଭନୀୟ ଆନ୍ଦୋଳନ ଦେଶ ବିଦେଶରେ ଭାରତୀୟ ସଂସ୍କୃତି ଓ ସଂସ୍କାରକୁ ଯେଉଁଭଳି ଭାବେ ପ୍ରଚାର ଓ ପ୍ରସାର କରିବାରେ ଲାଗିଛି ତାର ଭୂୟସୀ ପ୍ରଶଂସା କରିଥିଲେ। ସାରା ବିଶ୍ବକୁ “ବସୁଧୈବ କୁଟୁମ୍ବକମ୍” ନୀତିର ଆଧାରରେ ସ୍ନେହ, ଶ୍ରଦ୍ଧା ଏବଂ ସୌହାର୍ଦ୍ଦ୍ୟତାର ସୂତ୍ରରେ ଏକ ପାରିବାରିକ ବନ୍ଧନରେ ବାନ୍ଧି ରଖିବା ଏହି ସଂସ୍ଥାର ଉଦ୍ଦେଶ୍ୟ ବୋଲି ଶ୍ରୀ ଶର୍ମା କହିଥିଲେ। ମୁଖ୍ୟ ଆୟୋଜକ ବିଜୟନୀ ପ୍ରତିଷ୍ଠାନର ସଭାପତି ରୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାସଦେବ ନାୟକ, ପୁଷ୍ପାଞ୍ଜଳି ବାରିକ, ବିଭୁ ସାହୁ ଏବଂ ମଧୁ ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ। ଏହି ଅବସରରେ ମହାକାଂକ୍ଷା ପ୍ରତିଷ୍ଠାନର ଅଧକ୍ଷ ପୁଷ୍ପାଞ୍ଜଳି ବାରିକ, ଟେନିସ ତାରକା ଦିଲ୍ଲୀପ ମହାନ୍ତି, ବରିଷ୍ଠ ସାମ୍ବାଦିକ ଭିପି ଶର୍ମା, ଗୁରୁମା ଗୀତାଞ୍ଜଳି ବେହୁରା, ସମାଜସେବୀ ବିମଳା ଦେବୀ ଏବଂ ଟିଭି ଉପସ୍ଥାପିକା ଅର୍ଚ୍ଚନା ସିଂହ ପ୍ରମୁଖଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ କୁମାର ଭାଇଙ୍କ ଦ୍ଵାରା ରଚିତ ଶୋଭନୀୟ ଆନ୍ଦୋଳନର ମହତ୍ତ୍ଵ ସମ୍ପର୍କିତ ସଙ୍ଗୀତ ଗାୟନ କରାଯାଇଥିଲା। ଏହା ପରେ ଉଦୀୟମାନ କଳାକାର ସମୃଦ୍ଧି ମିଶ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସାମାଜିକ ଗଣମାଧ୍ୟମରେ ବୈଠକର ସିଧା ପ୍ରସାରଣକୁ ନନ୍ଦନ ଦ୍ବିବେଦୀ ଏବଂ ଆଦିତ୍ୟ ପାତ୍ର ଦକ୍ଷତାର ସହ ନିୟନ୍ତ୍ରଣ କରିଥିଲେ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଜଗନ୍ନାଥ ମନ୍ଦିରର ସମ୍ପାଦକ ରବି ପ୍ରଧାନ, ବିନାୟକ ଦାସ, ଆଚାର୍ଯ୍ୟ ଅଭିମନ୍ୟୁ, ପ୍ରମୋଦ ରାଉତରାୟ, ଦିଲ୍ଲୀପ ଦାସ, ଶିଳ୍ପୀରଶ୍ମି ଓ ନଳିନୀକାନ୍ତ ମିଶ୍ର, ଉତ୍ତମ କୁମାର, ଅର୍ଚ୍ଚନା ଓ ଚକ୍ରପାଣି ପରିଡ଼ା, ପ୍ରିୟତମା ଓ ଅସୀତ କର, ସରିତା ମହାପାତ୍ର, ହରପ୍ରିୟା ପ୍ରଧାନ, ବନ୍ଦନା କର, ଭାବନା କର ଓ ଓଜସ୍ଵିନୀ ଶତପଥୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

 

Leave a Comment

Read More

Verified by MonsterInsights