ରାଜଧାନୀରେ ସାଇବର ଠକେଇ ଥମିବାର ନା ଧରୁନି। ଏପଟେ ପୋଲିସ ହାତରେ ହାତ ଦେଇ ବସିଛି , କମିଶନରେଟ ପୋଲିସଙ୍କ ରିପୋର୍ଟ ଅନୁସାରେ ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରରୁ ୨କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ସାଇବର ହେକର । ଯେଉଁଥିରେ ଅନଲାଇନ ଟ୍ରେଡିଂ ଆପ ଜରିଆରେ ଦେଢ଼କୋଟି ଟଙ୍କା ଠକିଛନ୍ତି। ତେବେ ଏ ଠକାମୀ ରେ ସାମ୍ନାକୁ ଆସିଛନ୍ତି ଜଣେ ଇଂଜିନିୟରିଂ ଛାତ୍ର , ଏଭଳି ସୁନ୍ଦରୀ ସାଇବର ଜାଲରେ ପଡ଼ି ୧୫ ଲକ୍ଷ ହରାଇଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର । ଏ ହେଉଛନ୍ତି ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ର ଆନନ୍ଦ ପ୍ରସାଦ ରଥ। ଅନଲାଇନ ଟ୍ରେଡିଂ ଆପ୍ରେ ଟଙ୍କା ବିନିଯୋଗ କରିବା ପରେ ଏବେ ସାଇବର ଠକେଇର ଶିକାର ହୋଇଛନ୍ତି ଆନନ୍ଦ ପାତ୍ର । ଆନନ୍ଦ କହିଛନ୍ତି, ଫେସବୁକରେ ପ୍ରଥମେ ସୁନ୍ଦରୀ ଯୁବତୀ ଫ୍ରେଣ୍ଡ ରିକ୍ୟୁସ୍ଟ ପଠାଇଥିଲେ । ପରେ ମେସେଞ୍ଜରରେ ମିଠା ମିଠା କଥା କହି ବିଶ୍ବାସ ଜିତିଥିଲେ । ତାପରେ ଅନଲାଇନ ଟ୍ରେଡିଂ ଆପରେ ଟଙ୍କା ବିନିଯୋଗ କଲେ କିଭଳି ମାଲେ ମାଲେ ହେବେ, ସେନେଇ ଲୋଭ ଦେଖାଇଥିଲେ ଯୁବତୀ । ପ୍ରଥମେ ଫେସବୁକ ଜରିଆରେ ଟ୍ରେଡିଂ ଆପରେ ୩ ଲକ୍ଷ ୫୦ ହଜାର, ପରେ ଟେଲିଗ୍ରାମ ଜରିଆରେ ୧୧ ଲକ୍ଷରୁ ଅଧିକ ଟଙ୍କା ନିବେଶ କରିଥିଲେ। ଠକେଇର ଶିକାର ହେବା ପରେ ଏବେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ । ତେଣୁ ଏଭଳି ଲୋଭନୀୟ ସ୍କିମ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ସାଇବର ଏକ୍ସପର୍ଟ ।









