ସ୍ୱାମୀ ବିବେକାନନ୍ଦ ଆବାସିକ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ।
ଶିକ୍ଷାନୁଷ୍ଠାନ ହେଉଛି ମଣିଷ ତିଆରି କାରଖାନା
ବାଲିଚନ୍ଦ୍ରପୁର ୧୮/୧=,ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ବଜାର ନିକଟସ୍ଥ ପତରାରାଜପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଆବାସିକ ଶିକ୍ଷାନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ ଆଜି ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀନିବାସ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇ କଠିନ ପରିଶ୍ରମ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚତର ସୋପାନରେ ପହଞ୍ଚାଇଥାଏ ବୋଲି କହିବା ସହିତ ଏହି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ ତା’ର ମହନୀୟ ଉଦ୍ୟମ ଜାରି ରଖିବାକୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଚଳଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି ଯୋଗଦେଇ କହିଲେଯେ, ଶିକ୍ଷାନୁଷ୍ଠାନ ହେଉଛି ମଣିଷ ତିଆରି କାରଖାନା । ଏହି କାରଖାନାର କାରିଗର ମାନେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମଣିଷ କରି ଗଢି ତୋଳିବାକୁ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ଡ଼ଃ ଭାଗ୍ୟଧର ସାହୁ ଓ ପ୍ରାଧ୍ୟାପକ ତଥା ସାହିତ୍ୟିକ ଡ଼ଃ ଯଚିନ୍ଦ୍ର କୁମାର ରାଉତ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଭଲ ମଣିଷ ହୋଇ ଦେଶ ଜାତି ପାଇଁ ଗୌରବ ଆଣିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ସର୍ବଶ୍ରୀ କିଶୋର ଚନ୍ଦ୍ର ଦାଶ, ରାମଚନ୍ଦ୍ର ସାମଲ,ପ୍ରାଧ୍ୟାପକ ଦୁଃଶାସନ ସାହୁ ଓ ପ୍ରସନ୍ନ କୁମାର ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଶିକ୍ଷାନୁଷ୍ଠାନର ପୂର୍ବତନ କୃତି ଛାତ୍ରଛାତ୍ରୀ ପ୍ରଭାସିନୀ ଜେନା, ଋତୁପର୍ଣ୍ଣା ସାହୁ, ପ୍ରିୟଙ୍କା ସାହୁ ଓ କାମଦେବ ସାହୁଙ୍କ ସମେତ ଅନ୍ୟ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ତେବେ ଆଜିର ଏହି ବର୍ଣାଢ଼ ଉତ୍ସବରେ ଉଦ୍ଘାଟକ ଭାବେ ନିମନ୍ତ୍ରିତ ଥିବା ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଶାରୀରିକ ଅସୁସ୍ଥତା ହେତୁ ଉତ୍ସବରେ ଅନୁପସ୍ଥିତ ଥିଲେ।
ତେବେ ଏଥିପାଇଁ ଶ୍ରୀ ପଟ୍ଟନାୟକ ପଠାଇଥିବା ମେସେଜକୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଇଂ ଜ୍ୟୋତି ପ୍ରକାଶ ସାହୁ ଆଜିର ଉତ୍ସବରେ ଉପସ୍ଥିତ ଅତିଥି ଓ ଅଭିଭାବକ ଛାତ୍ରଛାତ୍ରୀ ମାନଙ୍କୁ ଶୁଣାଇଥିଲେ । ଶ୍ରୀ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ ଏହି ଅନୁଷ୍ଠାନର ଉତ୍ତୋରତ ଉନ୍ନତି କାମନା କରିଥିଲେ । ଅଧ୍ୟାପକ ରୁଦ୍ର ନାରାୟଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାତା ଇଂ ଜ୍ୟୋତି ପ୍ରକାଶ ସାହୁ ଶିକ୍ଷାନୁଷ୍ଠାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ଚିନ୍ମୟ ଓଝା । ଅଧ୍ୟାପକ ଶ୍ରୀପତି ସେବକ ଦାସ, ଦେବାଶିଷ ଓଝା, ଶିବ ସୁନ୍ଦର ଦାସ, କଳ୍ପତରୁ ସାହୁ, ଅଧ୍ୟାପିକା ସୁପ୍ରିୟା ଶତପଥୀ, ପ୍ରୀତିପର୍ଣ୍ଣା ବିଶ୍ୱାଳ,ମଧୁସ୍ମିତା ସାହୁ, ମମତା ସାହୁ,ରଞ୍ଜିତା ବିଶ୍ୱାଳ ଓ ଝୁନି ଦାସ ପ୍ରମୁଖ ଉତ୍ସବ ପରିଚାଳନରେ ସହଯୋଗ କରିଥିଲେ । ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।









